ଗଛରେ ପିଟି ହେଲା କାର, ଚାଳକ ମୃତ, ଚାରି ଗୁରୁତର

ବୌଦ୍ଧ : ପୁରୁଣାକଟକ ଥାନା ଅଂଚଳରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଦୁର୍ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ହୋଇଛନ୍ତି । ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗ ଛକ ନିକଟରେ ଘଟିଛି ଦୁର୍ଘଟଣା । ଗୁରୁତର ଚାରିଜଣଙ୍କୁ ପୁରୁଣାକଟକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗୁରୁତରଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ରାଣୀପଥର ଗାଁର ଗଙ୍ଗା ମଲ୍ଲିକ । ସୂଚନାମୁତାବକ, ଚାରିଛକ ପଟୁ ଫୁଲବାଣୀ ପଟକୁ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାସ୍ଥଳରେ କାର ଚାଳକ ଜଣେ ମୃତ ଓ ଚାରି ଗୁରୁତର ହୋଇଥିଲେ । ସମସ୍ତ ଯାତ୍ରୀ କନ୍ଧମାଳ ଜିଲ୍ଲା ରାଣୀପଥରର ହୋଇଥିବା ବେଳେ ମୃତକ ଜଣକ ହେଲେ ରାଣୀପଥର ଗାଁ ର ଗଙ୍ଗା ମଲ୍ଲିକ ଅନ୍ୟମାନଙ୍କ ପରିଚୟ ମିଳି ପାରିନାହିଁ ।