ହଜିଗଲା ମାନବିକତା: ମାଲିକର ଅବହେଳା ପାଇଁ ଚାଲିଗଲା ଡ୍ରାଇଭରଙ୍କ ଜୀବନ !

ନରସିଂହପୁର : ହଜିଗଲା ମାନବିକତା । ମରିଗଲା ମଣିଷ ପଣିଆ । ଦିନରାତି ଯେଉଁ ମାଲିକ ପାଖରେ କାମ କରୁଥିଲେ ପରିବାର ସଦସ୍ୟ ଭଳି ତାଙ୍କ ପାଖରେ ସବୁବେଳେ ଛିଡା ହେଉଥିଲେ ସେଇ ମାଲିକ ପାଇଁ ଆଜି ଚାଲିଯାଇଛି ତାଙ୍କ ଜୀବନ । ସତରେ ଯେମିତି ବିବେକ ଶୂନ୍ୟ, ସ୍ୱାର୍ଥପର ହୋଇଗଲାଣି ଏଇ ମଣିଷ । ଦୟା, ମୟା ଯେମିତି ପୋଡି ଖାଇଗଲାଣି ।

ଖବର ମୁତାବକ, ଗାଡି ଧକ୍କା ହେବା ପରେ ଅମାନୁଷିକ ଭାବେ ଡାକ୍ତରଖାନାକୁ ନନେଇ ନିଜ ଗାଡି ଡ୍ରାଇଭରକୁ ଭଡାଘରେ ଛାଡିଦେଇ ଚାଲିଯାଇଥିଲା ମାଲିକ । ଆଉ କିଛି ଘଣ୍ଟା ପରେ ଖବର ପାଇ ଡ୍ରାଇଭରଙ୍କ ଘର ଲୋକ ପହଞ୍ଚି ତାଙ୍କୁ ନିଜ ଗାଁ ନରସିଂହପୁର ଡାକ୍ତରଖାନାକୁ ନେଲା ବେଳେ ବାଟରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକର ଗୋପପୁର ଗ୍ରାମରେ ।

ସୂଚନା ମୁତାବକ ସେହି ଗ୍ରାମର ଭାସ୍କର ଖିଲାର । ବୟସ ୩୩ । ଦୀର୍ଘଦିନ ଧରି ଭୁବନେଶ୍ୱରରେ ଜଣେ ମାଲିକ ପାଖରେ କାର୍ ଡ୍ରାଇଭର ଭାବେ କାମ କରୁଥିଲେ । ହେଲେ ଦୁଇ ଦିନ ତଳେ ବାଣୀବିହାର ଠାରେ ଏକ ସଡକ ଦୁର୍ଘଟଣାର ଶୀକାର ହୋଇଥିଲେ ଭାସ୍କର । ହେଲେ ଏକଥା ଜାଣିବା ପରେ ଗାଡି ମାଲିକ ଜଣକ ଡାକ୍ତରଖାନା ନେବ କଣ, ତରବରିଆ ଭାବେ ଭାସ୍କରଙ୍କୁ ଚିକିତ୍ସା ନକରାଇ ଭଡା ଘରେ ଛାଡି ପଳାଇଥିଲା ।

ଯାହାଫଳରେ ଆହତ ହୋଇଥିବା କାରଣରୁ ଧିରେ ଧିରେ ଭାସ୍କରଙ୍କ ଅବସ୍ଥା ବିଗିଡିବାକୁ ଲାଗିଲା । ବାଧ୍ୟ ହୋଇ ଭାସ୍କର ଏନେଇ ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଭାସ୍କରଙ୍କ ପାଖରେ ପହଁଚି ତୁରନ୍ତ ତାଙ୍କୁ ଡାକ୍ତରଖାନା ନେବା ବାଟରେ ଭାସ୍କରଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏପଟେ ମାଲିକଙ୍କ ଏଭଳି ମାନସିକତାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନରସିଂହପୁର ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିବା ଜଣାପଡିଛି ।

ହାତଗଣତି କିଛି ଟଙ୍କା ଆଗରେ କଣ ମଣିଷ ଜୀବନର କିଛି ମୂଲ୍ୟ ନାହିଁ? କେମିତି ମଣିଷ ଜନ୍ମ ପାଇ ଏମିତି ଅମାନବୀୟ କାଣ୍ଡ କରି ବସୁଛନ୍ତି କିଛି ଲୋକ । ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ପରିବର୍ତ୍ତେ ଏମିତି ଘରେ ଛାଡି ପଳାଉଛନ୍ତି । ତେବେ ଏଭଳି କାଣ୍ଡ ଘଟାଇଥିବା ଉକ୍ତ ମାଲିକ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଭାସ୍କରଙ୍କ ପରିବାର ଲୋକେ ।

You might also like