ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍‌, ଅପରେସନ ଗ୍ୟାଲେରୀରେ ପଶି ଫଟୋ ପାଇଁ ଦେଲେ ପୋଜ୍

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ । ଉଠିଲା ସୁରକ୍ଷାକୁ ନେଇ ପ୍ରଶ୍ନ । ହୀରାକୁଦ ଜଳଭଣ୍ଡାରରେ ଆଜି ଗେଟ୍ ଖୋଲା ଯାଇଥିବା ସମୟରେ ଉପରେ ଗୋଟିଏ ଡ୍ରେନ୍‌ ଉଡୁଥିବା ଦେଖା ଯାଇଥିଲା । କେହି ବ୍ଲଗର ଜଣେ ଡ୍ରୋନ ଉଡ଼ାଇଥିଲେ ବୋଲି କୁହାଯାଉଛି । ବ୍ଲଗର଼ ଡ୍ରୋନ ଉଡାଇବା ସହ ନିଜର ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଏପରିକି ଡ୍ୟାମର ସବୁ ଦିଗରୁ ଭିଜୁଆଲ ନିଆଯାଇଛି । ଯାହା ଡ୍ୟାମର ସୁରକ୍ଷା ବ୍ୟବସ୍ଥାରେ କିପର ତ୍ରୁଟି ରହିଛି ତାକୁ ସ୍ପଷ୍ଟ କରୁଛି । ଡ୍ୟାମ ଉପର ଭିଜୁଆଲ, ସ୍ପିଲ ଓ୍ବେ ଓ ଡ୍ୟାମ ଉପରେ ଥିବା ରାସ୍ତା ଉପରେ ମଧ୍ୟ ଡ୍ରୋନ ଉଡାଯାଇଛି ।

‘ମିଷ୍ଟର ଓଡିଆ’ ବ୍ଲଗର ନାମରେ ଜଣେ ଯୁବକ ଏହି ଡ୍ରୋନ ଉଡାଇଥିବା ଦେଖିବାକୁ ମିଳିଛି । ତେବେ ନିଷିଦ୍ଧାଞ୍ଚଳରେ କେବଳ ଡ୍ରୋନ ଉଡି ନାହିଁ ବାହାର ଲୋକ ମଧ୍ୟ ଅପରେସନ ଗ୍ୟାଲେରୀ ଭିତରକୁ ପଶି କ୍ରେନ ଭିତରେ ଫଟୋ ପାଇଁ ପୋଜ୍ ଦେଇଥିବା ଭିଡିଓ ମଧ୍ୟ ଏବେ ଭାଇରାଲ ହେଉଛି । ଗେଟ୍ ଖୋଲିବା ସମୟରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ କିଛି ଲୋକ ବିଶେଷ ଅପରେସନ ଗ୍ୟାଲେରୀରେ ପଶିଥିଲେ । ପୁଣି ଭିଡିଓ ଭାଇରାଲ କରିବା ସହ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ଅପଲୋଡ କରିଛନ୍ତି ।

ହୀରାକୁଦ ନିଷିଦ୍ଧାଞ୍ଚଳରେ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାକୁ ଯିବା ପାଇଁ ଅନୁମତି ନାହିଁ । ଏମିତିକି ଗଣମାଧ୍ୟମକୁ ୪ ବର୍ଷ ହେବ ସ୍ପିଲ ଓ୍ବେ ଅଞ୍ଚଳକୁ ଯିବା ପାଇଁ ବାରଣ କରାଯାଇଛି । ସେହି ସମୟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇଛନ୍ତି ଓଡ଼ିଆ ବ୍ଲଗର୍ । ଯାହା ପରେ ହୀରାକୁଦ ଡ୍ୟାମ୍ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । କହି ରଖୁଛୁ ହୀରାକୁଦ ଜଳଭଣ୍ଡାର ସୁରକ୍ଷା ଏବେ ଆଇଏସଏଫ ହାତରେ ରହିଛି । ଡ୍ୟାମ କର୍ତ୍ତୃପକ୍ଷ ଏହି କଥାକୁ ଜାଣି ମଧ୍ୟ ନଜାଣିଲା ପରି ହେଉଛନ୍ତି ।

ତେବେ ଏହି ବ୍ଲଗର ଜଣକ କାହା ଅନୁମତି ନେଇ ଡ୍ରୋନ ଉଡ଼ାଇଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ହୀରାକୁଦ ଗେଟ୍ ଖୋଲିବା ପରେ ବନ୍ୟାଜଳ ଦେଖିବା ପାଇଁ ହୀରାକୁଦ ତଥା ମହାନଦୀ କୂଳରେ ଲୋକଙ୍କ ଭିଡ ଲାଗି ରହିଥିଲା । ଆଜିବି ଲୋକେ ବିଭିନ୍ନ ସ୍ଥାନରୁ ଆସି ଏଠାକାର ମଜା ନେଉଛନ୍ତି । ଏହାସହ ପରିବାର ସହିତ ଆସି ବନ୍ୟାଜଳ ଦେଖିବା ସହ ସେଲଫି ନେଇ ଭିଡିଓ କରୁଥିବା ବି ନଜର ଆସିଛି । ତେବେ ଏହାରି ଭିତରେ ଏଭଳି ଅବ୍ୟବସ୍ଥା ଓ ସୁରକ୍ଷାରେ ଢିଲା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହୀରାକୁଦ ଜଳ ଭଣ୍ଡାରର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେମନ୍ତ କୁମାର ପାଣ୍ଡଵ କହିଛନ୍ତି ।

You might also like