ବ୍ରିଜ ଉପରେ ସାଇକେଲ ଓ ବ୍ୟାଗ୍ ରଖି ଏମିତି କଲେ ଛାତ୍ର, ଏବେ ପୁଅକୁ ଝୁରୁଛି ମାଆ

ଚୌଦ୍ଵାର : ବାପା ମାଙ୍କୁ ଏକା କରି ଦୁନିଆରୁ ବିଦାୟ ନେଇଛି ପୁଅ । ରାତିରେ ଖାଇ ପିଇ ଭଲରେ ଶୋଇଥିଲେ । ଆଉ ଭୋରୁ ଭୋରୁ ଉଠି ବ୍ରିଜ ପାଖକୁ ଆସିଥିଲେ ପ୍ରଦୀପ । ସକାଳୁ ଉଠି ବାପା ମା ପୁଅକୁ ଖୋଜିଖୋଜି ପାଇଲେନି । ଶେଷରେ ବିରୂପା ବ୍ୟାରେଜ ଉପରେ ପୁଅର ସାଇକେଲ ଥୁଆ ହୋଇଥିବା ଦେଖି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ ପରିବାର ଲୋକେ । ଚୌଦ୍ୱାର ୧୨ ନଂ ୱାର୍ଡର ପ୍ରଭାତ ଦାସଙ୍କ ପୁଅ ପ୍ରଦୀପ କୁମାର ଦାସ ଏମିତି ଚରମ ନିଷ୍ପତି ନେଇଥିବା ସୂଚନା ମିଳିଛି । ଘର ଲୋକଙ୍କ ସହ କୌଣସି ସମସ୍ୟା ହୋଇନଥିବା କହିଛନ୍ତି ପ୍ରଦୀପଙ୍କ ବାପା । କିନ୍ତୁ ଏମିତି କାହିଁକି କଲା ପୁଅ ? କଣ ହୋଇଥିଲା ତା ସହ ? ଏଭଳି ପଦକ୍ଷେପ ନବା ପୂର୍ବରୁ କଣ ଥରେ ବି ବାପା ମାଙ୍କ କଥା ଭାବିଲାନି । ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କିନ୍ତୁ ଯିଏ ଉତ୍ତର ଜାଣିଛି ସେ ସମସ୍ତଙ୍କୁ ଏକା କରି ପର ପାରିକୁ ଚାଲି ଯାଇଛି ।

ସୂଚନା ଥାଉ କି ବ୍ରିଜ ଉପରେ ସାଇକେଲ ଦେଖିବା ପରେ ଚୌଦ୍ଵାର ଓ ଜଗତପୁର ଉଭୟ ଥାନାରେ ଜଣାଇବା ସହିତ ଚୌଦ୍ଵାର ଅଗ୍ନିଶମକୁ ଖବର ଦିଆ ଯାଇଥିଲା । ଅଗ୍ନିଶମ ଅଧିକାରୀ ଓ ଓଡ୍ରାଭ ଟିମ୍ ପ୍ରାୟ ୧୦ ଘଣ୍ଟା ଖୋଜା ଖୋଜି କରିବା ପରେ ନଦୀରୁ ପ୍ରଦୀପଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ତେବେ କେଉଁ କାରଣରୁ ପ୍ରଦୀପ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

କଟକ ଚୌଦ୍ଵାରରୁ ପଦ୍ମଲାଭ ବରାଳଙ୍କ ରିପୋର୍ଟ କେନ୍ୟୁଜ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like