କାଳ ସାଜୁଛି ଘରୋଇ କଳି, ସ୍ୱାମୀ ସ୍ତ୍ରୀ କଳିରେ ବଳି ପଡ଼ିଲେ ବିଚରା ଶଶୁର

ଘରୋଇ କଳି ସବୁ ବେଳେ କାଳ ହେଉଛି । ଏମିତି ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସିମିଳିପୁର ଗାଁରେ । ସ୍ୱାମୀ ସ୍ତ୍ରୀ କଳିରେ ବିଚରା ବଳି ପଡ଼ିଲେ ତୃତୀୟ ଲୋକ । ଏହି ତୃତୀୟ ଲୋକ ଆଉ କେହି ନୁହେଁ ଝିଅର ବାପା । ମଦ ନିଶାରେ ଆସି ସ୍ତ୍ରୀକୁ ମାଡ଼ ମାରୁଥିଲା ଜ୍ୱାଇଁ । ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର ରୋକିଲେ ଆଉ ଜ୍ୱାଇଁ ଆକ୍ରମଣରେ ପ୍ରାଣ ହରାଇଲେ ।

ନିଶାରେ ମଣିଷ କଣ କରେ କିଛି ଜାଣି ପାରେନି । ହିତାହିତ ଜ୍ଞାନ ହରାଇ ବସି ବିଭିନ୍ନ ପ୍ରକାର ଅପରାଧ ମଧ୍ୟ କରେ । ନିକଟରେ ଜଣେ ମଦ୍ୟପ ଜ୍ୱାଇଁ ବି ଏମିତି କିଛି ଅପରାଧ କରି ବସିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ନିଶାରେ ଜଣେ ମଦ୍ୟପ ଜ୍ୱାଇଁ ନେଇଯାଇଛି ନିଜ ଶଶୁରଙ୍କ ଜୀବନ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ସିମିଳିପୁର୍ ଗ୍ରାମର କାଳନ୍ଦୀ ଦାସଙ୍କ ଝିଅ ପୂଜା ବେହେରା ତାଳବସ୍ତ୍ ପଞ୍ଚାୟତ ପୁଟସାହିର ଦୁଶାସନ ବେହେରା ଓରଫ ନରିଆଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟେ କଟକରେ ରହୁଥିଲେ । ହେଲେ ସବୁବେଳେ ନିଶାସକ୍ତ ଅବସ୍ଥାରେ ଆସି ଦୁଶାସନ ନିଜ ସ୍ତ୍ରୀ ପୂଜାକୁ ମାଡ ମାରିବାରୁ ସେ ନିଜର ତିନି ବର୍ଷର ପୁଅକୁ ଧରି ବାପ ଘରେ ରହୁଥିଲେ । କିନ୍ତୁ ସେଠାରେ ବି ଶାନ୍ତିରେ ରଖେଇ ଦେଉନଥିଲା ସ୍ୱାମୀ ।

ସବୁବେଳେ ନିଶାରେ ଶଶୁର ଘରକୁ ଆସି ମଧ୍ୟ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଅନେକ ଧମକ ଦେଉଥିଲା । ସେହିଭଳି ଗତକାଲି ନିଶାରେ ମାତାଲ ହୋଇ ଶଶୁର ଘରକୁ ଆସିଲା ଜ୍ୱାଇଁ । କୌଣସି କାରଣରୁ ଘରେ ଆରମ୍ଭ ହେଲା ବଚସା । ଧୀରେ ଧୀରେ ବିବାଦ ବଢ଼ିବାରେ ଲାଗିଲା । ଶାଶୁ ଓ ଶଶୁରଙ୍କ ଉପସ୍ଥିତରେ ସ୍ତ୍ରୀ ପୂଜାକୁ ପ୍ରବଳ ମାଡ଼ ମାରିବା ସହ ଶେଷରେ ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା ।

କିନ୍ତୁ ଏହି ସମୟରେ ଶଶୁର ବାଧା ଦେବାରୁ ଶଶୁରଙ୍କ ମୁଣ୍ଡକୁ ଜୋରରେ ମାଡ ମାରିବା ପରେ ସେ ତଳେ ପଡ଼ିଯାଇଥିଲେ । ଏହାପରେ ବାଙ୍କୀ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିବା ବେଳକୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ମାଡ ମାରିଥିବା ଅଭିଯୁକ୍ତ ଜ୍ବାଇଁକୁ ପୋଲିସ ଥାନାରେ ରଖି ପଚରା ଉଚରା କରୁଛି । ନିଶା ପାଇଁ ଘଟି ଯାଇଛି ଏଭଳି ଅଘଟଣ । ଗୋଟିଏ ରାତିରେ ଶେଷ ହୋଇଗଲା ସବୁକିଛି ।

ଏହି ନିଶା ପାଇଁ କେତେ ଯେ ପରିବାର ଛାରଖାର ହୋଇଯାଉଛି ତାହା ନ କହିବା ଭଲ । ମଣିଷର ସବୁଠାରୁ ବଡ଼ ଶତ୍ରୁ ହେଉଛି ନିଶା । ଏ ଘଟଣା ପରେ ଆପଣ ବି ଭଲ ଭାବେ ବୁଝି ସାରିଥିବେ ନିଶା କରିବା କେତେ ଯେ ବିପଜ୍ଜନକ । ତେଣୁ ଆପଣଙ୍କୁ ଏତିକି କହି ରଖିବାକୁ ଚାହିଁବୁ ନିଶା ଠାରୁ ଦୂରେଇ ରୁହନ୍ତୁ । ନଚେତ ଏଭଳି ଅଘଟଣ ଘଟିବାକୁ ବେଶି ସମୟ ଲାଗିବ ନାହିଁ । ତେବେ ଦୁଶାସନଙ୍କୁ ଆଜୀବନ କାରାଦଣ୍ଡ ଦେବାପାଇଁ ଦାବି କରୁଛନ୍ତି ମୃତକଙ୍କ ଝିଅ ତଥା ଅଭିଯୁକ୍ତଙ୍କ ସ୍ତ୍ରୀ ପୂଜା ।

You might also like