ଶୁଷ୍କ ପଡିଛି ମହାନଦୀ, ପୁଣି ବ୍ୟାରେଜକୁ ନେଇ ଉଠିପାରେ ପ୍ରସଙ୍ଗ

ଭୁବନେଶ୍ୱର(କେନ୍ୟୁଜ) : ପୁଣି ଫେରିପାରେ ମହାନଦୀ ପ୍ରସଙ୍ଗ। ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ଗେଟ୍‌ ବନ୍ଦ କରିବା ସହ ବର୍ଷାର ଅଭାବ ଓଡ଼ିଶାରେ ମହାନଦୀକୁ ଶୁଷ୍କ କଲାଣି। ପ୍ରଭାବରେ ହୀରାକୁଦରେ କମିଛି ଜଳସ୍ତର। ବିଗତ କିଛି ବର୍ଷ ଭିତରେ ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହ ଲଗାତାର ହ୍ରାସ ପାଇବାରେ ଲାଗିଛି।

ଶୁଖିଲା ପଡ଼ିଛି ସମ୍ବଲପୁରରେ ମହାନଦୀର ବିସ୍ତୀର୍ଣ୍ଣ ଅଞ୍ଚଳ। ଅକାତ କାତ ପାଣିରେ ପୂରିଥିବା ଅଞ୍ଚଳ ଏବେ ଶୁଷ୍କ। ବର୍ଷା ବି ନାହିଁ। ଫଳରେ କମିଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର। ଜୁନ୍‌ ମାସରେ ଜଳଭଣ୍ଡାରରେ ରହିଛି ୬୦୨ ଫୁଟ୍‌ ଜଳସ୍ତର । ମେ ମାସରେ ଥିଲା ୬୧୧.୩୭ ଫୁଟ୍‌ ପାଣି। ଏପ୍ରିଲରେ ହୀରାକୁଦ ଡ୍ୟାମର ଜଳସ୍ତର ରହିଥିଲା ୬୧୬ ଫୁଟ୍‌। ଏହି ତଥ୍ୟ ଦର୍ଶାଉଛି ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହ କମିଛି। ଖରାଦିନେ ଛତିଶଗଡ଼ ବ୍ୟାରେଜର ଗେଟ୍‌ ବନ୍ଦ କରିବାରୁ ଓଡ଼ିଶାରେ ଶୁଖିଲା ପଡୁଛି ମହାନଦୀ।

ମହାନଦୀରେ ଜଳପ୍ରବାହ ହ୍ରାସ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହା ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଛି। ଚାଷ କାମ ପାଇଁ ନିଅଣ୍ଟିଆ ହେଉଛି ପାଣି। କ୍ଷତି ସହୁଛନ୍ତି ମତ୍ସ୍ୟଜୀବୀ।

ପ୍ରତିବର୍ଷ ନଭେମ୍ବରରୁ ଜୁନ୍‌ ପର୍ଯ୍ୟନ୍ତ ୮ ମାସ ଅଣମୌସୁମୀ ସମୟ ହୋଇଥିବାରୁ ଏହି ସମୟରେ ବର୍ଷାର ଅଭାବ ଓ ଜଳ ଭଣ୍ଡାରେ ପାଣି କମ୍‌ ରହିଥାଏ । ଯଦି ମୌସୁମୀ ବର୍ଷା କମିଯିବ ତେବେ ଅବସ୍ଥା ସଂଗୀନ ହୋଇଯିବ । ସେପଟେ ଓଡ଼ିଶା ପାଇଁ ବର୍ଷା ସହ ଛତିଶଡ଼ ପାଣି ନ ଛାଡିବା ଆଉ ଏକ ମୁଣ୍ଡବଥାର କାରଣ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.