ବ୍ୟକ୍ତିଙ୍କ ଜୀବନ ନେଇଗଲା ଋଣ ଭାର

ଭଦ୍ରକ : ସ୍ତ୍ରୀର ଚେତା ରହୁନି, ସ୍ୱାମୀର ମର ଶରୀରକୁ ଦେଖି ହତବାକ୍ ହୋଇଯାଇଛି ସ୍ତ୍ରୀ । କାନ୍ଦି କାନ୍ଦି ଆଉ ଦେହରେ ଜୀବନ ନାହିଁ । ଏପଟେ ଛୁଆ ଦୁଇଜଣ ବି ବାପା ଛେଉଣ୍ଡ ହୋଇଯାଇଛନ୍ତି । ସେମାନେ ବି ସମ୍ଭାଳି ପାରୁନାହାଁନ୍ତି ନିଜକୁ । ଏସବୁ ହେଇଛି ସେହି ୪ ଜଣଙ୍କ ପାଇଁ । ବାପା ଆଜି ଯଦି ମରିଛନ୍ତି କେବଳ ସେହି ୪ ଜଣଙ୍କ ପାଇଁ । ସ୍ତ୍ରୀ ବି ବସି ଭାବୁଛନ୍ତି କଣ ହେଇଗଲା ଏସବୁ । ପରଲୋକଙ୍କ ପାଇଁ ଆଜି ମୋ ସିନ୍ଦୁର ପୋଛି ହେଇଗଲା, ମୋ ପିଲା ଦୁଇଟା ବାପା ଛେଉଣ୍ଡ ହେଇଗଲେ । ସେମାନଙ୍କୁ କେବେବି ଧର୍ମ ସହିବନି, କେବେବି ଶାନ୍ତିରେ ରହିପାରିବେନି । ଯେତିକି କଲବଲ ମୋ ସ୍ୱାମୀକୁ କରିଛନ୍ତି ସେତିକି କଲବଲ ହୋଇ ସେମାନେ ବି ମରିବେ । ଇଏ ହେଉଛି ଗୋଟେ ସ୍ତ୍ରୀର ଅଭିଷାପ ।
ଋଣ ଟଙ୍କା କିଏ ଖାଇଲା, କାହାର ଜୀବନ ଗଲା । ଜଣେ ଖାଇଲା ଋଣ ଟଙ୍କା, କିନ୍ତୁ ସେହି ଋଣ ଟଙ୍କା ପାଇଁ ଆଉ ଜଣଙ୍କ ଜୀବନ ଗଲା । ହଁ ଆଜ୍ଞା ଜଣଙ୍କ ନାଁରେ ଋଣ ନେଇଗଲେ ୪ ଜଣ ଲୋକ । କିନ୍ତୁ ଋଣ ଟଙ୍କା ପାଇବା ପରେ ସୁଛିଲେନି କିସ୍ତି । ଫଳରେ ବନ୍ଧା ପଡିଗଲା ଋଣ ନେଇଥିବା ବ୍ୟକ୍ତି ଜଣଙ୍କ । ଏମିତି ଗୋଟେ ସାଂଘାତିକ ଅଭିଯୋଗ ଆସିଛିଭଦ୍ରକ ଜିଲ୍ଲା ପୀରହାଟ ଥାନା ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହା ଗାଁରୁ । ଏହି ଗାଁର ଦୁଃଖିରାମ ସାହୁଙ୍କ ପୁଅ ଭଗବାନ ସାହୁ କମ୍ପାନୀରୁ ଋଣ କରି ଗାଁର ୪ ଜଣଙ୍କ ଅଭାବ ପୂରଣ କରିଥିଲା । ପରିଶୋଧ କରିବାରେ ଅସମର୍ଥ ହେବାରୁ ଶେଷରେ ନିଜ ଜୀବନ ହିଁ ବାଜି ଲାଗିଗଲା ।
ଯାହାକୁ ନେଇ ଗାଁର ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି । ଭଗବାନଙ୍କ ମୃତ୍ୟୁ ପାଇଁ ସେହି ଗାଁର ୪ ଜଣଙ୍କୁ ଦାୟୀ କରିଛନ୍ତି ତାଙ୍କ ସ୍ତ୍ରୀ ଜୟନ୍ତୀ ସାହୁ । ସେମାନେ ତାଙ୍କ ସ୍ୱାମୀଙ୍କୁ ପ୍ରଲୋଭିତ କରି କେବଳ ଆଧାର କାର୍ଡ ନେଇ ଫାଇନାନ୍ସ କମ୍ପାନୀରୁ ଋଣ କରାଇ ଦେଇ ସବୁତକ ଟଙ୍କାକୁ ନେଇ ଯାଇଥିଲେ । ସେମାନଙ୍କର ଅଭାବ ରହିଛି, ଏହି ଋଣ ବଳରେ ସକ୍ଷମ ହୋଇଯିବେ ଏବଂ ନିୟମିତ କିସ୍ତି ସୁଝିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । କିଛି ମାସ ସେମାନେ କିସ୍ତି ମଧ୍ୟ ଦେଲେ ଆଉ କିଛି ମାସ ତଳେ ଗାଁ ଛାଡି ବାହାରକୁ ଚାଲିଯିବା ପରେ ଭଗବାନକୁ ପରିଶୋଧ କରିବାକୁ ପଡିଲା ସବୁଯାକ ଟଙ୍କା । ହଜାରେ ନୁହେଁ କି ଦୁଇ ହଜାର ନୁହେଁ ମାସିକ ୧୩ ହଜାର ୬୫୫ ଟଙ୍କାର ବୋଝ । ସ୍ୱାମୀ ସ୍ତ୍ରୀଙ୍କ ଜାଣତରେ ୪ଟି କମ୍ପାନୀରୁ ଋଣ ଉଠା ଯାଇଥିଲା ମାତ୍ର କିଛି ମାସ ତଳେ ଆଉ ଗୋଟିଏ କମ୍ପାନୀର ଋଣ କଥା ସେମାନେ ପରେ ଜାଣିବାକୁ ପାଇଥିଲେ । ଋଣ କରାଇ ଦେଇଥିବା ଲୋକେ ଫେରାର ହୋଇଯାଇଥିବାରୁ ଭଗବାନଙ୍କୁ ସବୁତକ ସୁଝିବାକୁ ପଡୁଥିଲା । ୪ଟି ମାସିକ କିସ୍ତି ଯଥାକ୍ରମେ ୨, ୧୩୫ ଟଙ୍କା, ୧,୯୦୦ ଟଙ୍କା, ୧,୮୬୦ ଟଙ୍କା ଓ ୧, ୭୬୦ ଟଙ୍କା ଏବଂ ୧, ୫୦୦ ଟଙ୍କା ଲେଖାଏଁ ସାପ୍ତାହିକ କିସ୍ତି ରହିଥିଲା। ଭଗବାନ ପେଷାରେ ଦିନମଜୁରୀଆ । କିସ୍ତି ପରିଶୋଧ କରିବାକୁ ସାମର୍ଥ୍ୟ ନାହିଁ । ନିଜ ଝାଳବୁହା ରୋଜଗାର ସହ ବନ୍ଧୁବାନ୍ଧବଙ୍କ ଠାରୁ ଧାର କରଜ କରି ପରିଶୋଧ କରିଆସୁଥିଲା । ଏହାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ମଧ୍ୟ ହୁଏ । ଶେଷରେ ଭାରି ହେଇଗଲା ଋଣ ଭାର । ତେଣୁ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଛାଡି ଭଗବାନ ନେଇଗଲେ ଚରମ ପଦକ୍ଷେପ ।
ଏହାପରେ ତାଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବୁଧବାର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା ଏବଂ ସେ ଋଣ ପାଇଁ ଗାଁର ସେହି ୪ ଜଣଙ୍କ ଦାୟୀ କରିଥିଲେ। ସେମାନେ ଋଣ ଟଙ୍କା ସୁଝିଲେ ନାହିଁ ଏବଂ ଗାଁ ଛାଡି ଦେଲେ ଏବେ ମୁଁ କଣ କରିବି ବୋଲି ଗଭୀର ମ୍ରିଣମାଣ ହୋଇ ଯାଇଥିଲେ ଭଗବାନ। ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଛି । ପର ପାଇଁ ଆଜି ଜୀବନ ଚାଲିଗଲା ଭଗବାନଙ୍କର । କିନ୍ତୁ ପଛରେ ରହିଥିବା ସ୍ତ୍ରୀ ଓ ଦୁଇ ଝିଅ ହୋଇଗଲେ ବେସାହାରା । ଋଣ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଯେଉଁ ୪ ଜଣଙ୍କ ପାଇଁ ଭଗବାନ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ସେମାନଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଥାନାରେ ଏତଲା ଦେବାକୁ ନିଷ୍ପତି ନିଆଯାଇଛି । ସରପଞ୍ଚ ସୁପ୍ରଭା ପାଣି ମୃତକ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ସରକାରୀ ନିୟମ ମୁତାବକ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି ।
ଅନ୍ୟମାନଙ୍କ ଦୁଃଖରେ ଦୁଃଖୀ ହୋଇ ଭଗବାନ ସାଜିଥିବା ଭଗବାନ ଆଜି ଚାଲିଗଲେ ସେହି ଲୋକଙ୍କ ପାଇଁ । ତେଣୁ କାହା ଉପରେ କି କାହା କଥାରେ ଏତେ ବି ବିଶ୍ୱାସ କରନ୍ତୁନାହିଁ, ଯେ ପର ମୂହୁର୍ତ୍ତରେ ସେହି ଲୋକ ହିଁ ଆପଣଙ୍କୁ ଧୋକା ଦେବ । ସେମାନେ ଥରେ ବି ଭାବିଲେନି ଗୋଟେ ଗରିବ ଦିନ ମଜୁରିଆ ନାଁରେ ଏମିତି ଋଣ ନେଇ ପୁଣି ସେହି ଋଣ ଟଙ୍କାକୁ ନେଇ ଫେରାର ହୋଇଯିବା କେତେ ସାଂଘାତିକ ଅପରାଧ । ଏବେ ସେହି ଲୋକ ୪ ଜଣଙ୍କ ପାଇଁ ଆଜି ଗୋଟେ ପରିବାର ବେସାହାରା ହୋଇଗଲା । ସ୍ତ୍ରୀ ନିଜ ମଥାର ସିନ୍ଦୁର ହରାଇଲା ତ ଛୁଆ ହୋଇଗଲେ ବାପା ଛେଉଣ୍ଡ । ତେଣୁ ଆପଣମାନେ ଏମିତି କାହା କଥାରେ ଭରଷା କରନ୍ତୁନାହିଁ । ନଚେତ ପରବର୍ତ୍ତୀ ସ୍ଥିତି ଏମିତି ହେବ ଆଜ୍ଞା । ଗରିବ ତ ଗରିବ ଜଣେ ଧନୀ ଲୋକ ବି ଏତେ ଟଙ୍କା ଦେବାକୁ ଅସମର୍ଥ ହେବ, ଆଉ ଇଏ ତ ଥିଲେ ଦିନମଜୁରିଆ । ସେଥିପାଇଁ ତ ନେଇଗଲେ ଏମିତି ଏକ ଚରମ ପଦକ୍ଷେପ ।