ଖୁଚୁରାକୁ ନେଇ ହିନସ୍ତା, ଯୁବକଙ୍କୁ ଲଣ୍ଡା କରି ବିଚ୍ ରାସ୍ତାରେ ପିଟିଲେ

ବାଲେଶ୍ବର(କେନ୍ଯୁଜ୍) : ଖୁଚୁରା ପଇସାକୁ ନେଇ କଙ୍ଗାରୁ କୋର୍ଟ । ପ୍ୟାଣ୍ଟ ସାର୍ଟ ଖୋଲି ବିଚ୍‌ ରାସ୍ତାରେ ଯୁବକଙ୍କୁ ଲଣ୍ଡା କଲେ । ଏହାପରେ ବଜାର ସାରା ବୁଲାଇଥିବା ଅଭିଯୋଗ । ଏହି ଦୃଶ୍ୟ ବାଲେଶ୍ୱର ସହରର ସୋମନାଥପୁର ଛକରେ । ନିର୍ଯାତନାର ଶିକାର ହୋଇଥିବା ଯୁବକଙ୍କ ନାଁ ଜନାର୍ଦ୍ଦନ ସାହୁ ଓ ଘର ଅସରାଗାଡ଼ିଆ ଗାଁରେ ।

ଅଭିଯୋଗ ହୋଇଛି, ଜନାର୍ଦ୍ଦନ ଗତକାଲି ସୋମନାଥପୁର ଛକରେ ଥିବା ଜାଭିର୍‌ ଖାଁଙ୍କ ଦୋକାନରୁ ବଲ୍‌ବ କିଣିଥିଲେ । ଦୋକାନୀଙ୍କୁ ସେ ଦେଇଥିଲେ କିଛି ୫ ଟଙ୍କିଆ ଓ ଖୁରୁଚା ପଇସା । ଏହାକୁ କେନ୍ଦ୍ର କରି ଦୋକାନୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ଜାଭିର୍‌ ଜନାର୍ଦ୍ଦନଙ୍କୁ ଦୋକାନରୁ ଚୋରି କରିଥିବା ଅଭିଯୋଗରେ ମାଡ଼ ମାରିବା ସହ ତାଙ୍କୁ ଲଣ୍ଡା କରିଥିଲେ । ଏହି ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଏନେଇ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ଜନାର୍ଦ୍ଦନ ।