ବେଆଇନ ବାଲି ଉତ୍ତୋଳନ ଯୋଗୁଁ ନଦୀ ଗର୍ଭରେ ଲୀନ ହେବାକୁ ଯାଉଛି ଅନେକ ଗାଁ

ଜଳେଶ୍ୱର: ନଦୀରୁ ବେଆଇନ ବାଲି ଉତ୍ତୋଳନ ଯୋଗୁଁ ନଦୀ ଗର୍ଭରେ ଲୀନ ହେବାକୁ ଯାଉଛି ଅନେକ ଗାଁ । ଦିନ ରାତି ଡମ୍ପର ଏବଂ ଟ୍ରାକ୍ଟରରେ ହେଉଛି ଶହଶହ ଟ୍ରିପ ବାଲି ଚାଲାଣ । ନଦୀ ଗର୍ଭରୁ ମାଟି ଅତଡା ଖସି ବଢୁଛି ବିପଦ । ଗାଁ ଭିତରେ ବାଲି ବୋଝେଇ ଗାଡି ଯାତାୟତ ଯୋଗୁଁ ବଢୁଛି ଦୁର୍ଘଟଣା । ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ ।

ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ ଆମ୍ବକୁଡୁଚି,ଦେଭୋଗ,କାଦରାୟାଁ,ଧିତିପୁରା,ମଧୁପୁରା ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ଜେସିବି ଲଗାଇ ବାଲି ଚାଲାଣ ହେଉଛି । ଡମ୍ପର ଏବଂ ଟ୍ରାକ୍ଟରରେ ଦିନ ରାତି ଶହଶହ ଟ୍ରିପ ବାଲି ଚାଲାଣ ହେଉଥିବାରୁ ବିପଦରେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ । ଜେସିବି ସାହାଯ୍ୟରେ ନଦୀ ଗର୍ଭରୁ ବାଲି ଉତ୍ତୋଳନ ହେଉଥିବାରୁ କୂଳ ଖାଇ ନଦୀ ଗାଁ ମୁହାଁ ହେଉଥିବା ବେଳେ  ବନ୍ୟା ସମୟରେ କାଦରାୟାଁ,ସନ୍ତୋଷପୁର ଏବଂ ରଘୁନାଥପୁର ପଞ୍ଚାୟତର ୩୦ରୁ ଅଧିକ ଗାଁ ପ୍ରତି ବିପଦ ଆସିବା ନେଇ ଆଶଙ୍କା କରାଯାଉଥିବାରୁ ଏହାକୁ ବିରୋଧ କରୁଛନ୍ତି ଅଳବାସୀ ।

ଏପଟେ ରାସ୍ତାରେ ସବୁ ସମୟରେ ଦୃତ ଗତିରେ ବାଲି ବୋଝେଇ ଗାଡି ଯାତାୟତ କରୁଥିବାରୁ ଲୋକେ ଭୟରେ ପିଲାମାନଙ୍କୁ ସ୍କୁଲକୁ ଛାଡିବାକୁ ବି ସୁରକ୍ଷିତ ମଣୁନାହାନ୍ତି । ଖାଲି ସେତି ନୁହେଁ ଦୁର୍ଘଟଣାରେ ଶିକାର ହୋଇ ଅନେକଙ୍କ ଜୀବନ ମଧ୍ୟ ଯାଉଛି ।ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଉଛି । ଅତ୍ୟଧିକ ବାଲି ଉତ୍ତୋଳନ ଯୋଗୁଁ ନଦୀ କୂଳ ଖାଉଥିବାରୁ କାଦରାୟାଁ ପଞ୍ଚାୟତର ଅନେକ ଗାଁ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । ଯାହାକୁ ନେଇ କାଦରାୟାଁ ଗ୍ରାମବାସୀ ବିରୋଧ କରିବା ସହିତ ବାଲି ଖାଦାନ ବନ୍ଦ ପାଇଁ ଦାବି କରିଛନ୍ତି ।

ଗତ ୨୦୨୨ ମସିହାରେ ଏହି ସବୁ ବାଲି ଖାଦାନରୁ ବାଲି ଉତ୍ତୋଳନ ବନ୍ଦ କରିବା ପାଇଁ ତତକାଳୀନ ତହସିଲଦାର ଜିଲ୍ଲା ପ୍ରସାଶନର ନିର୍ଦ୍ଦେଶ କ୍ରମେ ୧୪୪ ଧାରା ଲାଗୁ କରିଥିଲେ । ମାତ୍ର ପ୍ରଶାସନର ଏହି ଅନୁମତିକୁ ବେଖାତିର କରି ଦିନରାତି ଜେସିବି ଲଗାଇ ଏହି ୫ ଟି ବାଲି ଖାଦାନରୁ ଦୈନିକ ୧୨ଶହରୁ ୧୫ଶହ ଟ୍ରିପ୍ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଏନେଇ ପୋଲିସ କିମ୍ବା  ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଖଣିଜ ସମ୍ପଦ ବିଭାଗ ନିକଟରେ ଅଭିଯୋଗ କଲେ ସୁଦ୍ଧା  କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏବେ ସମସ୍ତ ବାଲି ଖାଦାନ ଲଘୁ ଖଣିଜ ସମ୍ପଦ ବିଭାଗ ହାତରେ ରହିଥିବାରୁ ବିଭାଗୀୟ ଅଧିକାରୀଙ୍କୁ ବାରାମ୍ବାର ଗୁହାରୀ କଲେ ମଧ୍ୟ ସେ ଶୁଣୁନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ମାଫିଆ ମାନେ ବେଧଡକ ଭାବରେ ବାଲି ଚାଲାଣ କରୁଥିବା ଲୋକେ କ୍ଷୋଭର ସହିତ କହିଛନ୍ତି ।

ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଖାଦାନ ମାନଙ୍କରେ ହେଉଥିବା ବେଆଇନ ଉତ୍ତୋଳନକୁ ବନ୍ଦ କରିବା ସହିତ ସରକାରୀ ନିୟମକୁ ଉଲଙ୍ଘନ କରୁଥିବା ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ଯୋର ଧରିଛି । ତେବେ ଏନେଇ ବସ୍ତା ତହସିଲଦାର କ୍ୟାମେରା ସାମ୍ନା ରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଏହା ଲଘୁ ଖଣିଜ ବିଭାଗ ଅଧୀନରେ ଆସୁଛି , ତେଣୁ ଖଣିଜ ବିଭାଗକୁ ଅବଗତ କରାଇବେ ବୋଲି କହିଛନ୍ତି । ଅପରପକ୍ଷେ  ଆମେ ଏନେଇ ଲଘୁ ଖଣିଜ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଯାହାକୁ ନେଇ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

 

You might also like