ଭଞ୍ଜନଗରରେ ନକଲି ଘିଅ ଗୋଦାମ ଠାବ, ନାମୀ ଦାମୀ କମ୍ପାନୀ ସିଲ୍‌ରେ ଚାଲିଥିଲା କାରବାର

ଭଞ୍ଜନଗର (କେ ନ୍ୟୁଜ୍‌) : କରୋନା ସଂକ୍ରମଣ କୁ ନେଇ ସମସ୍ତେ ଏବେ ଚିନ୍ତାରେ । ଏଭଳି ପରିସ୍ଥିତିରୁ ତ୍ରାହି ପାଇବା ପାଇଁ ଅନେକ ଲୋକେ ଏବେ ନିଜ ଘରେ ଅଧିକାଂଶ ସମୟ ରହିବାକୁ ପଡୁଛି । ବଜାରରୁ ସଉଦା କିଣି ଘରେ ଯାହା କିଛି ଖାଇ ଦିନ କାଟିବାକୁ ପଡ଼ୁଛି । ହେଲେ ଏହି ସମୟରେ ଯଦି ଖାଇବା ସାମଗ୍ରୀ ଭେଜାଲ୍ ବୋଲି ଜଣାପଡ଼େ ତେବେ ତାହା ଅତି ସାଂଘାତିକ ଘଟଣା ନିଶ୍ଚୟ । ପୂର୍ବରୁ କଟକରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଜାଗାରୁ ଠାବ ହେବା ପରେ ଏବେ ଗଂଜାମ ଜିଲ୍ଲା ଭଂଜନଗରରୁ ଠାବ କରାଯାଇଛି ଅପମିଶ୍ରିତ ଘିଅ ଓ ତେଲ ସାମଗ୍ରୀ ଗୋଦାମ । ଚଢ଼ାଉ ପରେ ଏଭଳି କାରନାମାର ପର୍ଦ୍ଦାଫାସ୍‌ ହୋଇଛି ।

କଟକ , ଭୁବନେଶ୍ୱର ଓ ଗଂଜାମ ର ବ୍ରହ୍ମପୁର ରେ ନକଲି ସାମଗ୍ରୀ କୁ ନେଇ ବିଭିନ୍ନ ସମୟରେ ପୋଲିସ ଚଢ଼ାଉ କରିଛି । ଆଉ ଏବେ ଭଂଜନଗର ସହର ନିକଟରେ ପ୍ରଥମ କରି ଅପମିଶ୍ରଣ ହେଉଥିବା ଘିଅ ଓ ତେଲ ଗୋଦାମରେ ଚଢ଼ାଉ କରିଛି ଭଂଜନଗର ପୋଲିସ । ଜବତ ହୋଇଛି ନାମୀଦାମୀ କମ୍ପାନୀ ନାମରେ ପ୍ୟାକିଂ ହୋଇଥିବା ଘିଅ ଓ ତେଲ ସାମଗ୍ରୀ ।

GHEE-2

ବ୍ୟାରେଲ୍ ବ୍ୟାରେଲ୍ ତେଲ । ଆଟା ପ୍ୟାକେଟରେ ସିଲ୍ ହୋଇ ରହିଛି ଅନେକ ତେଲ ବୋତଲ । ଗ୍ୟାସ୍ ଚୁଲି ଉପରେ ଗରମ ହେଉଛି ହଣ୍ଡା ହଣ୍ଡା ତେଲ । ମାଳ ମାଳ ପ୍ୟାକିଂ ଜରି । ଓଜନ ଯନ୍ତ୍ର ଏବଂ ତେଲରେ ମିଶାଇବାକୁ ରହିଥିବା ରଂଗ ବି ରହିଛି । ଆଉ ଏଠାରୁ ପ୍ୟାକ୍‌ ହୋଇ ତେଲ କି ଘିଅ ବଜାରକୁ ଗଲା ପରେ କିଏ ଜାଣିବ ଏହା ଡୁପ୍ଲିକେଟ୍‌ ବୋଲି ।
ଏ ସବୁ ନକଲି ଜିନିଷ ବିକ୍ରି କରା ଯାଉଥିବା ନେଇ କୈାଣସି ସୂତ୍ରରୁ ସୂଚନା ପାଇବା ପରେ ଭଂଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ସ୍ଥାନୀୟ ପୋଲିସ ଚଢ଼ାଉ କରି ନକଲି ସାମଗ୍ରୀ ସବୁ ଜବତ କରିଛନ୍ତି ।

ଏ ସଂକ୍ରାନ୍ତରେ ପୋଲିସ୍ ମାମଲା ରୁଜୁ କରି ଦୁଇଜଣଙ୍କୁ ଗିରଫ କରିବା ସହ କଞ୍ଚାମାଲ କେଉଁଠାରୁ ଆସୁଥିଲା, ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ ପ୍ରସ୍ତୁତ ସାମଗ୍ରୀ ସବୁ କେଉଁଠିକୁ ଯୋଗାଣ ଓ ବିକ୍ରି ହେଉଛି ତାହାର ଖୋଳତାଡ଼ ଆରମ୍ଭ କରିଛି ଭଂଜନଗର ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.