ଚାଲିଥିଲା ପଞ୍ଚୁ ଦୋଳ ଯାତ୍ରା । ହଠାତ ହୋହାଲ୍ଲାରେ କମ୍ପି ଉଠିଲା ସମଗ୍ର ଅଞ୍ଚଳ । ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । ପ୍ରାଣ ବିକଳରେ ଅଧା ଲୋକ ଏଣେତେଣେ ଲୁଚି ଗଲେ । ଗତକାଲି ରାତିରେ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ଗାଁର ସୁବୁଧେଶ୍ୱର ଠାକୁରଙ୍କ ସମ୍ମୁଖରେ ପଞ୍ଚୁ ଦୋଳ ମେଳଣ ଯାତ୍ରା ଚାଲିଥିଲା । ନାମ ସଙ୍କୀର୍ତ୍ତନ ହେଉଥିବା ବେଳେ ହଠାତ ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ତିନି ଟିକିଆ ଜଙ୍ଗଲି ହାତୀ ଗାଁ ମୁହାଁ ହୋଇଥିଲେ । ଲୋକମାନେ ଯାତ୍ରା ଦେଖୁଥିବା ବେଳେ ହଠାତ ଆରମ୍ଭ ହୋଇଥିଲା ଦୌଡ଼ାଦୌଡ଼ି । ଯାତ୍ରା ଦେଖିବେ କଣ ପ୍ରାଣ ଭୟରେ ଲୋକମାନେ ମନ୍ଦିର ପାଚେରୀ ପାଖକୁ ଚାଲିଆସିଥିଲେ । ହାତୀଙ୍କୁ ଦେଖି କିଛି ଲୋକେ ଭୟଭୀତ ହୋଇ ଦୂରକୁ ପଳାଇ ଆସିଥିବା ବେଳେ ଗ୍ରାମବାସୀମାନେ ହାତୀଙ୍କୁ ଘଉଡାଇ ଥିଲେ। କିନ୍ତୁ ହାତୀ ପଲ ଅଭୟାରଣ୍ୟକୁ ଫେରିଛନ୍ତି କି ଆଉ କେଉଁଠି ଅଟକି ରହିଛନ୍ତି ତାହା ଜଣା ପଡିନାହିଁ ।
ଏବେ ଲୋକଙ୍କର ହାତୀ ଉପରେ ଯେତିକି ରାଗ ନୁହେଁ ତାଠୁ ଅଧିକ ଅସନ୍ତୋଷ ଓ ଅଭିମାନ ପ୍ରଶାସନ ତଥା ବନବିଭାଗ ଉପରେ । ସେମାନଙ୍କ ଅଭିଯୋଗ ହେଉଛି କି ବର୍ଷ ବର୍ଷ ଧରି ସେମାନେ ହାତୀ ଆକ୍ରମଣର ଶିକାର ହେଉଛନ୍ତି । ମୃତ୍ୟୁବରଣ କରୁଛନ୍ତି । ହାତୀ ପାଦ ତଳେ ବଢ଼ି ଚାଲିଛି ମଣିଷଙ୍କ ମୃତ୍ୟୁ ସଂଖ୍ୟା । ତଥାପି ଏହାର କୌଣସି ସମାଧାନ କରାଯାଉନାହିଁ । ଯାହାଫଳରେ ଏମିତି ସ୍ଥିତି ଉପୁଜୁଛି ।
ତେବେ ହାତୀ ହେଉ କି ଭାଲୁ । ଅନେକ ସମୟରେ ଏହି ବନ୍ୟ ଜୀବମାନେ ଜଙ୍ଗଲ ଛାଡ଼ି ଗାଁ ଓ ସହର ମୁହାଁ ହେଉଛନ୍ତି । ଏଭଳି ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏହାର କାରଣ ବି ଖୋଦ ମଣିଷ । ଆମେ ଏଭଳି କହିବା ପଛର କାରଣ ହେଉଛି ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି । ଲୋକସଂଖ୍ୟା ବଢ଼ୁଥିବାରୁ ଜଙ୍ଗଲ କାଟି ସଫା କରୁଛି ମଣିଷ । ଫଳରେ ଏ ଜୀବମାନେ ଖାଇବାକୁ ଖାଦ୍ୟ ପାଉ ନାହାନ୍ତି । ଆଉ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ଖାଦ୍ୟ ଅନ୍ଵେଷଣରେ ବାହାରି ପଡ଼ୁଛନ୍ତି ।
ହାତୀଙ୍କ ସୁରକ୍ଷା ଯେତିକି ଜରୁରୀ ମଣିଷଙ୍କ ନିରାପତ୍ତା ମଧ୍ୟ ସେତିକି ଜରୁରୀ । କିନ୍ତୁ ଦିନକୁ ଦିନ ଏ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ବନାଞ୍ଚଳରେ ରହୁଥିବା ଲୋକେ ରାତି କ’ଣ ଦିନରେ ବି ଘରୁ ବାହାରିବାକୁ ଭୟ କରୁଛନ୍ତି । ଅନ୍ୟପଟେ ଘରେ ବି ଏମାନେ ସୁରକ୍ଷିତ ନୁହଁନ୍ତି କାହିଁକି ନା ରାତି ଅଧରେ ଆସି ହାତୀ ଲୋକଙ୍କ ଘର ଉଜାଡ଼ିବା ସହ ମଣିଷଙ୍କୁ ମାରି ଦେଉଛି ।
ଏନେଇ ସବୁବେଳେ ଭୟଭୀତ ରହୁଛନ୍ତି ଅଞ୍ଚଳବାସୀ । ତୁରନ୍ତ ଏ ସ୍ଥାନରୁ ହାତୀଙ୍କୁ ଘଉଡ଼ାଇଲେ ହିଁ ଗାଁ ଲୋକମାନେ ସୁରକ୍ଷିତ ରହିବେ । ହାତୀ-ମଣିଷ ଲଢ଼େଇ ଯେମିତି ଥମିବାର ନାଁ ନେଉନି କି ଏହାର ସମାଧାନର ବାଟ ବି ବାହାରି ପାରୁନି ।
Also Read: ହାତୀ ଆକ୍ରମଣରେ ଜଣେ ମୃତ, ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ