ଧୂଳି ହେତୁ ଗାଁରେ ଖେଳି ଯାଇଛି ରୋଗ ଆତଙ୍କ, ଗାଁ ରାସ୍ତାକୁ କଂକ୍ରିଟ କରିବା ପାଇଁ ସରକାରଙ୍କୁ ନିବେଦନ

ପାଟଣାଗଡ଼: ଗାଁ ଦାଣ୍ଡ ଧୂଳି ପାଇଁ ଜନଜୀବନ ଅସ୍ତବ୍ୟସ୍ତ । ଅନେକ ଲୋକ ହେଉଛନ୍ତି ଶ୍ୱାସ ତଥା ଅନ୍ୟ ରୋଗରେ ଆକ୍ରାନ୍ତ । ଶୁଣୁନି ଗ୍ରାମପଞ୍ଚାୟତ ସତେ ଯେମିତି ଗାଁଟି ଗ୍ରାମପଞ୍ଚାୟତର ସାବତପୁଅ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁନାମୁଦୀ ଗ୍ରାମପଞ୍ଚାୟତର ଡିଆଡ଼ୁମେର ଗାଁ । ଗାଁ ଦାଣ୍ଡ ଦୀର୍ଘ ୨୫ ବର୍ଷ ପୂର୍ବରୁ କଂକ୍ରିଟ ହୋଇଥିଲା । ଧୀରେ ଧୀରେ କଂକ୍ରିଟ ପୁରୁଣା ହୋଇ ଉଠିଯିବା ଦ୍ୱାରା ଗାଁ ଦାଣ୍ଡ ଧୂଳିରେ ପୂର୍ଣ୍ଣ ହୋଇଛି । ଗାଁ ମଝିଦେଇ ଯାଇଥିବା ରାସ୍ତାଟି ସୁନାମୁଦୀ ଠାରୁ ତମିଆଁ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ସଂଯୋଗ କରୁଛି । ଏଣୁ ରାସ୍ତାରେ ପ୍ରତିଦିନ ଅନେକ ଲୋକଙ୍କ ଚଳାଚଳ ହୋଇଥାଏ ।
ଲୋକଙ୍କ ଗତାଗତ ସହିତ ଅନେକ ଗାଡିମଟର ରାସ୍ତାରେ ଯାଉଥିବାରୁ ଗାଁ ଦାଣ୍ଡ ପିଣ୍ଡାରେ ଆଉ ବସି ହେଉନି । ଧୂଳି ଉଡି ଖାଦ୍ୟ ପଦାର୍ଥରେ ପଡିବା ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ରୋଗ ହେଉଛି । ଧୂଳି ହେତୁ ଗାଁରେ ଅଧିକାଂଶ ଲୋକଙ୍କ ଥଣ୍ଡା ଲାଗିରହିଥିବା ବେଳେ ଅନେକ ଲୋକଙ୍କୁ ଶ୍ୱାସ ମଧ୍ୟ ହୋଇଥିବା କହିଛନ୍ତି ଗାଁର ମହିଳା।
ଗତ ଦୁଇବର୍ଷ ପୂର୍ବରୁ ଡିଆଡ଼ୁମେର ଗାଁକୁ ସୁନାମୁଦୀ ଠାରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ହେବା ସମୟରେ ଠିକାଦାର ଜେସିବି ଲଗାଇ ଗାଁ ଦାଣ୍ଡ କଂକ୍ରିଟ କରିବା ପାଇଁ ସଫା କରି ଆଉ ଆସିନଥିବା ବେଳେ ଗ୍ରାମପଞ୍ଚାୟତ ତରଫରୁ ମଧ୍ୟ ଗାଁ ଦାଣ୍ଡକୁ କଂକ୍ରିଟ କରାଯାଉନାହିଁ । ଗାଁ ଲୋକେ ବାରମ୍ବାର ଗ୍ରାମପଞ୍ଚାୟତରେ ଅଭିଯୋଗ କରୁଥିଲେ ମଧ୍ୟ ଗାଁ ଦାଣ୍ଡ ସେମିତି ଧୂଳିରେ ପୂର୍ଣ୍ଣ ହୋଇ ରହିଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାମ ବେଳେ କେବଳ ଜେସିବିରେ ସଫା କରିଥିବା ଓ କୌଣସି ସୂଚନାଫଳକ ଦିଆ ଯାଇନଥିବାରୁ କଂକ୍ରିଟ ପାଇଁ ଆସିଥିବା ଟଙ୍କା ଠିକାଦାର ବିଲ ଉଠେଇ ନେଇଥାଇପାରେ ସେଥିପାଇଁ ଗ୍ରାମପଞ୍ଚାୟତ ତରଫରୁ ବି ଗାଁ ଭିତର କଂକ୍ରିଟ ହୋଇପାରୁନାହିଁ ବୋଲି ଲୋକ ସନ୍ଦେହକରି ଆଗାମୀ ଦିନରେ ପାଟଣାଗଡ଼ ବ୍ଲକ ଘେରିବା ପାଇଁ ସଜବାଜ ହେଉଛନ୍ତି ।