ଫେରିଲେ ଦୌଡରାଣୀ : ଦୂତୀଙ୍କୁ ୩ କୋଟିର ଚେକ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସ୍ୱଦେଶ ଫେରିଲେ ଓଡ଼ିଶାର ଦୌଡ଼ରାଣୀ । ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଡବଲ୍‌ ରୌପ୍ୟ ବିଜୟିନୀ ଓଡ଼ିଆ ସ୍ପଣ୍ଟର ଦୂତୀ ଚାନ୍ଦ ଆଜି ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କ ସହ ଅଛନ୍ତି କୋଚ୍‌ ନାଗପୁରୀ ରମେଶ । ଦୂତିଙ୍କୁ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ଅଣାଯାଇଥିଲା । ବିମାନବନ୍ଦରରେ ପହଞ୍ଚିବା ପରେ ଦୂତୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି । ଏହାପରେ ସଚିବାଳୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ୩ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି । ତାଙ୍କ କୋଚ୍‌ଙ୍କୁ ବି ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସେ କିଟ୍‌ ଅଭିମୁଖେ ଯିବେ । କିଟ୍‌ କ୍ୟାମ୍ପସରୁ ଏକ ଶୋଭାଯାତ୍ରାରେ କିସ୍‌ ଯିବେ ଦୂତୀ ଚାନ୍ଦ । କିସ୍‌ର ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀ ଦୂତିଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଛନ୍ତି । ଏସୀୟ କ୍ରୀଡ଼ାର ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଛନ୍ତି ଦୂତୀ । ଆସନ୍ତାକାଲି ଦୂତୀ ହାଇଦ୍ରାବାଦ ସ୍ଥିତ ଗୋପୀଚାନ୍ଦ ଏକାଡେମୀକୁ ଯିବେ । ସେପ୍ଟେମ୍ବର ୩ ତାରିଖରେ ହାଇଦ୍ରାବାଦରୁ ଫେରିବା ପରେ ତାଙ୍କୁ ରାଜ୍ୟସ୍ତରୀୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ।