୮ ଜଣ ଅଣ ଆଦିବାସୀଙ୍କ ନାଁ ରେ ଥାନାରେ ଏତଲା ଦେଲେ DWO

ନବରଙ୍ଗପୁର: ଜୀବନ ଯାକର ପରିଶ୍ରମରେ ସରକାରୀ ଚାକିରି ଖଣ୍ଡିଏ ମିଳିଗଲେ କଥା ସରିଲା । ସେଥିପାଇଁ ସମସ୍ତେ ଚାହିଁ ଥାଆନ୍ତି କଳେ ବଳେ କୌଶଳେ ସରକାରୀ ଚାକିରି ଖଣ୍ଡିଏ ହାତେଇବାକୁ । କିନ୍ତୁ ଏହି ସରକାରୀ ଚାକିରି ପାଇବା ଆଶାରେ କିଛି ଲୋକ ନକଲି ଆଦିବାସୀ ସାର୍ଟିଫିକେଟ ଦେଖାଇ ପାଇଛନ୍ତି ସରକାରୀ ଚାକିରି । ନକଲି ପ୍ରମାଣ ପତ୍ର ଦେଇ ହାତେଇଥିଲେ ସରକାରୀ ଚାକିରି ଏବେ ସବୁ ଚାଲିଯିବ । ବଡ଼ ବଡ଼ ପଦ ପଦବୀ ହାତେଇ ସମସ୍ତ ସରକାରୀ ସୁବିଧା ପାଉଥିବା ଅଣ ଆଦିବାସୀ ଏବେ ବନ୍ଧା ହେବେ। ଅଣଆଦିବାସୀ ହୋଇ ମଧ୍ୟ ଚଞ୍ଚକତା କରି ଅସଲି ଆଦିବାସୀ ଜାତିଗତ ପ୍ରମାଣ ପତ୍ର ହାତେଇ କିଛି ବ୍ୟକ୍ତି ଚାକିରି କରୁଥିବା ବେଳେ ଆଉ କିଛି ସରକାରୀ ସୁବିଧା ଉଠାଇଥିବା ନେଇ ୮ଜଣ ଙ୍କ ନାମରେ ନବରଙ୍ଗପୁର ଟାଉନ ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ପ୍ରଶାସନ।
ପ୍ରଶାସନ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଥାନାକୁ ଆସି ୮ଜଣ ଅଣଆଦିବାସୀଙ୍କ ନାମରେ ଏତଲା ଦେଇଛନ୍ତି । ସେମାନେ ହେଲେ ସୁଚିତ୍ରା ମାଝୀ (ORS ), ଏବଂ ଗୋଟିଏ ପରିବାରର ତିନି ଜଣ ସଦସ୍ୟ କୁନାଲ ରାଜ ଭତ୍ରା , କିଶୋରୀ ସ୍ନେହୀ ଭତ୍ରା, କୋରେଶ ଚନ୍ଦ୍ର ଭତ୍ରାଙ୍କ ସହ ଅନ୍ୟ ଏକ ପରିବାରର ୪ ଜଣ ସଦସ୍ୟ ପ୍ରଦୀପ କୁମାର ଅଦୁ, ଶରତ କୁମାର ଅଦୁ, ବିଜୟା ବସନ୍ତ ଅଦୁ ଓ ବସନ୍ତ ଅଦୁ ଏଇ ୮ ଜଣଙ୍କ ନାମରେ ଏତଲା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ l ଏମାନଙ୍କ ନାମରେ ବ୍ରହ୍ମପୁର ସ୍ଥିତ RDC ର SLSC (STATE LEVEL SCRUTINY COMMITEE ) ରେ ବିଭିନ୍ନ ଆଦିବାସୀ ସଂଘ ପକ୍ଷରୁ ଗତ ୨୦୧୧ ମସିହାରୁ ୨୦୧୫ ମସିହା ମଧ୍ୟରେ କେସ୍ ଦାୟର କରାଯାଇଥିଲା l ଯାହାର ଚୂଡାନ୍ତ ଫଇସଲା ୨୧ନଭେମ୍ବର ୨୦୨୪ ରେ ଆସିଥିଲା l ସେହି ଆଧାରରେ ଆଜି ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି l
ଅନ୍ୟପଟେ ଏହାକୁ ନେଇ ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘ ସଭାପତି ଅର୍ଜୁନ ଭତରା ଅସନ୍ତୋଷ ପ୍ରକାଶ କରି କହିଛନ୍ତି ୨୦୧୧ ମସିହାରୁ ଜିଲ୍ଲାର ୧୩୭ ଜଣଙ୍କ ନାମରେ ସାର୍ଟିଫିକେଟ ଯାଞ୍ଚ ପାଇଁ କେଶ କରିଥିଲେ ମଧ୍ୟ ବର୍ତମାନ କେବଳ ୮ ଜଣ ଙ୍କ ନାମରେ ଏତଲା ଦିଆଯାଇଛି । ସେହିଭଳି SLSC ତରଫରୁ ଗତ ୨୦୨୪ନଭେମ୍ବର ୨୧ ତାରିଖ ରୁ ଆଦେଶ ଆସିଥିଲେ ମଧ୍ୟ ନବରଙ୍ଗପୁର ପ୍ରଶାସନ ପକ୍ଷରୁ ଏତଲା ଦେବା,ଏତେ ବିଳମ୍ବ କାହିଁକି କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି l ଏଥିସହ ଶୀଘ୍ର ଏହାର କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଦିବାସୀ ସଂଗଠନ ପକ୍ଷରୁ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି l