Below header

ହାଇଦର ଏପିସୋଡ୍‌ ପରେ ସବୁ ଜେଲରେ ସୁରକ୍ଷା ବ୍ୟବସ୍ଥା ସହ ବଢାଯାଇଛି ସର୍ଭେଲାନ୍‌ସ, ଆରମ୍ଭ ହେଲା ଇ-ମୁଲାକାତ ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ):  ବ୍ରହ୍ମପୁର ମଣ୍ଡଳ କାରାଗାର। ବଢିଛି ସୁରକ୍ଷା ବ୍ୟବସ୍ଥା। କିଏ ଆସୁଛି, କିଏ ବାହାରକୁ ଯାଉଛି ,ସବୁ ଉପରେ କଡ଼ା ନଜର। ଜେଲେରେ ରହୁଛନ୍ତି ଟିଟୋ ଭଳି ଗ୍ୟାଙ୍ଗଷ୍ଟର। ଟିଟୋକୁ ଝାରପଡ଼ା ଜେଲ୍‌ରୁ ସ୍ଥାନାନ୍ତର କରାଯାଇ ବ୍ରହ୍ମପୁର ଜେଲ୍‌ରେ ରଖାଯାଇଛି। ସେହିପରି ଗ୍ୟାଙ୍ଗଷ୍ଟର ସକିଲକୁ ଚୌଦ୍ୱାର ଜେଲ୍‌ରୁ କେନ୍ଦୁଝର ଓ ସେଠାରୁ ବ୍ରହ୍ମପୁର ସର୍କଲ ଜେଲ୍‌ରେ ଆଣି ରଖାଯାଇଛି। ମାଓନେତା ସବ୍ୟସାଚୀ ପଣ୍ଡ ମଧ୍ୟ ରହୁଛି ଏହି କାରାଗାରରେ। ପୂରା ଜେଲ ଏବେ ସିସିଟିଭି ନଜରରେ ରହିଛି। ଆଗକୁ ଇ-ମୁଲାକାତ ବ୍ୟବସ୍ଥା ସହ ବଡ଼ି କ୍ୟାମେରା ବ୍ୟବହାର ଲାଗି ଯୋଜନା ହୋଇଛି।

ଡି-ବ୍ରଦର୍ସ ହୁଅନ୍ତୁ କି ବିକ୍ରମ ମଲ୍ଲିକ, ଜେଲ୍‌ ପାଲଟିଛି ଅପରାଧୀଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତିର ସ୍ଥାନ। ସେଥିଲାଗି ଆରମ୍ଭ ହୋଇଛି ଅପରେସନ କ୍ଲିନ। କଏଦୀଙ୍କୁ ଉପରେ ସବୁ ବେଳେ ନଜର ରଖିବାକୁ ପ୍ରୟାସ ହେଉଛି। ଚୌଦ୍ୱାର ଓ ଝାରପଡ଼ା ଜେଲ୍‌ରେ ଇ-ମୁଲାକାତ ବ୍ୟବସ୍ଥା ଆରମ୍ଭ ହୋଇ ସାରିଛି। ଖୁବ ଶୀଘ୍ର ୱାର୍ଡରଙ୍କ ଦେହରେ ଲାଗିବ ବଡି କ୍ୟାମେରା। ସେହିପରି ରାଉରକେଲା ସ୍ୱତନ୍ତ୍ର କାରାଗାରରେ ବଡି କ୍ୟାମେରା ଲାଗିବାକୁ ଥିବାରୁ କର୍ମଚାରୀଙ୍କୁ ଦିଆଯିବ ଟ୍ରେନିଂ।

ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ବଡ଼ ପୁଅ ସେକ କାଦିର ଓରଫ ମୁନ୍ନା ରହୁଛି ଚୌଦ୍ୱାର ଜେଲ୍‌ରେ। ଆଜିର ତାର ଜାମିନ ଆବେଦନ ଖାରଜ ହୋଇଛି। ହାଇଦରର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମୁନ୍ନା ୪୦ ଦିନିଆ ଅନ୍ତରୀଣ ଜାମିନ ଆବେଦନ କରିଥିଲା। ଆଇନଶୃଙ୍ଖଳା ପରିସ୍ଥିତି, ଫେରାର ଆଶଙ୍କା ଥିବାରୁ ଜାମିନ ଆବେଦନକୁ ଖାରଜ କରାଯାଇଛି। ୨୦୧୧ ମସିହାରୁ ଗିରଫ ହୋଇ ଜେଲ୍‌ରେ ଅଛି ମୁନ୍ନା । ଗତ ୨୪ ତାରିଖ ଦିନ ହାଇଦରକୁ ଚୌଦ୍ୱାର ସର୍କଲ ଜେଲରୁ ବାରିପଦା ସ୍ଥାନାନ୍ତର ବେଳେ, ଖସି ପଳାଇବାକୁ ଚେଷ୍ଟା କରିଥିଲା। ସିମୁଳିଆ ନିକଟରେ ପୋଲିସ ଏନ୍‌କାଉଣ୍ଟରେ ଶିକାର ହୋଇଥିଲା ହାଇଦର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.