ଦେବଦୂତ ସାଜି ବୃଦ୍ଧାଙ୍କ ମୃତ୍ୟୁପରେ ଚାରିକାନ୍ଧ ଦେବାସହ ଶବ ସତ୍କାର କଲେ ଏମାନେ

ଭୁବନେଶ୍ୱର(କେନ୍ୟୁଜ୍): ଆଜିକାଲି ସମାଜରେ ମଣିଷ ଆଗରେ ସମ୍ପର୍କର ମୂଲ୍ଯ ଠାରୁ ନିଜ ସ୍ବାର୍ଥର ମୂଲ୍ଯ ଅଧିକ। ତେଣୁ ତ ଧିରେ ଧିରେ ହଜିବାକୁ ବସିଲାଣି ମାନବିକତା । ଜୀବନ ଥିବାବେଳେ ହଁ କିଏ କାହାକୁ ପଚାରୁ କି ପଚାରୁ ଗୋଡ ହାତ ଚାଲିବା ଯାଏ ନିଜ ଖଟୁଥିବ ଆଉ ଖାଉଥିବ, ହେଲେ ଥରେ ପିଣ୍ଡରୁ ପ୍ରାଣ ଗଲେ ଭାରି ସବୁ ସରିଲା। ତାପରେ ଯଦି ଶବକୁ ଚାରି କାନ୍ଧ ଆଉ ମୁହଁରେ ଟିକେ ନିଆଁ ଦବାକୁ ବି ପାଖରେ କେହି ନଥିବେ ତାଠାରୁ ବଡ ବିଡମ୍ବନାର ବିଷୟ କଣ ହେବ।

ହେଲେ କଥାରେ ଅଛି ଯାହାର କେହି ନାହିଁ ତାର ଭଗବାନ ଅଛନ୍ତି। ଭଗବାନ ତ ନିଜେ ସ୍ବୟଂ ଆସିବେନି। କିନ୍ତୁ ତାଙ୍କରି ଆଦେଶରେ ସବୁ କିଛି ସମାଧାନ ହୋଇଯାଏ। ଅସହାୟଙ୍କୁ ସାହାରା ମିଳିଯାଏ। ଏମିତି ଏକ ଘଟଣା ଘଟିଥିଲା ଭୁବନେଶ୍ୱରରେ। ଜୀବନର ଶେଷ ସମୟରେ ମିଳିଲାନି ଚାରି କାନ୍ଧ। ଯାହାପରେ ଶବ ସତ୍କାର ପାଇଁ ଆଗେଇ ଆସିଲେ ଦେବଦୂତ ମାନେ। ଶବ ହୋଇ ପଡିଥିବା ବୃଦ୍ଧା ଜଣକ କନକ ନାୟକ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା, ତମ୍ବିରୀ, ଖଦଳ ସାହିରେ ଘର। କିନ୍ତୁ ସେ ଦୀର୍ଘ ୨୦ ବର୍ଷ ହେବ ସେ ଭୁବନେଶ୍ବର କଳିଙ୍ଗ ବିହାର କେ-୫ ରେ ରହିଆସୁଥିଲେ | ତାଙ୍କର ପିଲା ପିଲି କିଏ ନାହାନ୍ତି।

କନକ ନାୟକ କ୍ୟାନ୍ସର ରୋଗରେ ବହୁତ ଦିନ ହେବ ପୀଡିତ ଥିଲେ। ବହୁତ ହସ୍ପିଟାଲରେ ତାଙ୍କ ସ୍ୱାମୀ ଦେଖାଇଥିଲେ ହେଲେ କିଛି ସୁଫଳ ମିଳି ନଥିଲା । ଶେଷରେ ଗତ ୮ତାରିଖ ଦିନ ୧୨ ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହେଲେ ବିଡମ୍ବନାର ବିଷୟ ଅସୁସ୍ଥତା ଯୋଗୁଁ ଶବ ସଂସ୍କାର କରିପାରିନଥିଲେ ସ୍ୱାମୀ। ଯାହାକୁ ବି କହିଲେ କେହି ସହଯୋଗ କରିନଥିଲେ । ଯାହାଦ୍ବାରା ଦିନ ୧୨ ଟା ରୁ ରାତି ୧୦ଟା ଯାଏ ତାଙ୍କ କନକଙ୍କ ଶବ ସେମିତି ଘରେ ପଡି ରହିଥିଲା । ତେବେ କୌଣସି ମତେ ଏହି ବିଷୟରେ ଖବର ଜାଣିଲା ପରେ ହେଲ୍ପ ଇଣ୍ଡିଆ ଟିମ ତରଫରୁ ତୁରନ୍ତ ତାଙ୍କ ଘରେ ପହଁଚି ଚନ୍ଦନ ଭାଇଙ୍କ ସ୍ୱର୍ଗ ରଥରେ ଶବ ନେବା ପାଇଁ ବ୍ଯବସ୍ଥା କରାଗଲା।

ସତ୍ୟ ନଗର ମସାଣିକୁ ନିଆଗଲା କନକଙ୍କ ମୃତଦେହ। ତେବେ ଶବ ଦାହ ପାଇଁ ମାରୁୱାଡି ମଞ୍ଚ ତରଫରୁ କାଠ ଯୋଗାଇ ଦିଆଯାଇଥିଲା ଓ ବିଶିଷ୍ଟ ସମାଜ ସେବୀ ଗଗନ ପାଇଟାଲ ଓ ହେଲ୍ପ ଇଣ୍ଡିଆ ସଦସ୍ୟ ମାନଙ୍କ ସହାୟତାରେ ଶବ ସଂସ୍କାର କରି ରାତି ୧ଟାରେ ଘରକୁ ଫେରିଥିଲେ। ଦେଖୁ ଦେଖୁ କନକଙ୍କ ଶବ ସତ୍କାର ବିନା ବାଧା ବିଘ୍ନରେ ସମାପ୍ତ ହୋଇଗଲା। ଏପଟେ ତାଙ୍କର କେହି ନଥିବାରୁ ଦଶ ଓ ଏକଦଶ ହେଲ୍ପ ଇଣ୍ଡିଆ ଟିମ ତରଫରୁ କରାଯିବା ପାଇଁ ପ୍ରତିଶୃତି ଦିଆଯାଇଛି।

ସତରେ ଅରକ୍ଷିତକୁ ଦଇବ ସାହା। ଏଇ କିଛି ବ୍ଯକ୍ତି ବିଶେଷଙ୍କ ପାଇଁ ତ ବଞ୍ଚିରହିଛି ମାନବିକତା। ଭଗବାନ କନକ ମାଉସୀଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏତିକି ହିଁ ଭଗବାନ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।