ମଧ୍ୟାହ୍ନ ଭୋଜନ ଖାଦ୍ୟରେ ମଲା ଜୋକ, ବିଦ୍ୟାଳୟରେ ଅଭିଭାବକଙ୍କ ହୋହାଲ୍ଲା

ବାସୁଦେବପୁର: ମଧ୍ୟାହ୍ନ ଭୋଜନ ଖାଦ୍ୟରେ ମଲା ଜୋକ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ଆଢ଼ିଆ ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ମଲା ଜୋକ ବାହାରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ତରକାରୀରୁ ଏକ ମଲା ଜୋକ ବାହାରି ଥିଲା । ଏନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପରେ ଶିକ୍ଷକ ସେହି ଖାଦ୍ୟକୁ ନ ଖାଇବା ପାଇଁ ମନା କରିବା ସହିତ ଉପରିସ୍ତ ଅଧିକାରୀଙ୍କୁ ଜଣାଇବା ପାଇଁ କହିଥିଲେ । ଏହାକୁ ନେଇ ବିଦ୍ୟାଳୟରେ ଅଭିଭାବକମାନେ ହୋହାଲ୍ଲା କରିଥିଲେ । ଖାଦ୍ୟ ଯୋଗାଣ କାରୀ ସଂସ୍ଥାକୁ ମଧ୍ୟାହ୍ନ ଭୋଜନ ଦାୟିତ୍ବରୁ ବାଦ ଦେବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।
ସୂଚନା ଯୋଗ୍ୟ ଜୁଲାଇ ୨୭ରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ବାନିଶିଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶନିବାର ସକାଳୁଆ ସ୍କୁଲ ଥିବାରୁ ସ୍କୁଲରେ ଛାତ୍ରଛାତ୍ରୀମାନେ ଅଣ୍ଡା ଝୋଳ ଖାଇବା ପରେ ଗୁରୁତର ହୋଇ ପଡ଼ିଥିଲେ । ସ୍କୁଲରେ ୩୫ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ । ସେମାନଙ୍କ ମଧ୍ୟରୁ ୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।