ବଢ଼ିଲା ବଡ଼ବଡ଼ିଆଙ୍କ ହାର୍ଟ ବିଟ୍‌: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କଲା ଇଡି

ଭୁବନେଶ୍ବର(କେନ୍ୟୁଜ୍): ବଢ଼ିଲା ବଡ଼ବଡ଼ିଆଙ୍କ ହାର୍ଟ ବିଟ୍‌ । କିଏ ବିଳିବିଳେଇଲେଣି ତ କିଏ ଖସିବାକୁ ଖୋଜିଲେଣି ବାଟ । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତିର ଚାଲିଛି ହିସାବ । ତଦନ୍ତ ଚଳାଇଛନ୍ତି ଇଡ଼ିର ୫ ଜଣିଆ ଟିମ୍‌। ବିଭିନ୍ନ ଘରୋଇ ବ୍ୟାଙ୍କ୍‌ରେ ଅର୍ଚ୍ଚନାଙ୍କର ଆକାଉଣ୍ଟ ରହିଛି । ସେସବୁର ତଥ୍ୟ ଏବେ ଇଡି ଅଧିକାରୀଙ୍କ ହାତରେ । ଆର୍ଥିକ କାରବାରର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସ୍ୱାମୀ ଓ ସ୍ତ୍ରୀଙ୍କ ଇନକମ୍‌ ସୋର୍ସ କ’ଣ ଥିଲା ? ପ୍ରଥମେ ଏହାର ତଦନ୍ତ କରୁଛି ଇଡି । ଇନକମ୍‌ ଟାକ୍ସ ଦେଉଥିଲେ କି ନାହିଁ’? କେଉଁଠୁ ଅର୍ଚ୍ଚନାଙ୍କ ପାଖକୁ ଟଙ୍କା ଆସୁଥିଲା ? କିଏ ଦେଉଥିଲେ ଟଙ୍କା ? କେଉଁଠି ଟଙ୍କା ଖଟାଇଛନ୍ତି ଅର୍ଚ୍ଚନା ନାଗ ? କୋର୍ଟ’ଅନୁମତି ଦେଲେ ରିମାଣ୍ଡରେ ଆଣି ପଚରାଉଚରା କରିବ ନ ହେଲେ ଝାରପଡ଼ା ଜେଲରେ ଜେରା କରିବ ଇଡି । ତଦନ୍ତ ଆରମ୍ଭ ହେବା ପରେ ବଡ଼ବଡ଼ିଆ ଓ ରାଜନେତାଙ୍କ ମନରେ ଛନକା ପଶିଛି ।

ଯେଉଁମାନେ ଟଙ୍କା ଦେଇଥିଲେ ତାଙ୍କ ପାଖରେ ପହଞ୍ଚିବ ଇଡି । ଖୁବଶୀଘ୍ର ସେମାନଙ୍କୁ ସମନ ହେବ ବୋଲି ସୂଚନା ମିଳିଛି । ଏହି ତାଲିକାରେ ଅଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ, ବିଭିନ୍ନ ଦଳର ରାଜନେତା, ଫିଲ୍ମ ପ୍ରଯୋଜକ, ଖଣି ବ୍ୟବସାୟୀ ଓ ସୁନା ଦୋକାନୀ ମାଲିକ । ଅର୍ଚ୍ଚନା ନାଗଙ୍କ ସହ ଏମାନଙ୍କୁ ମଧ୍ୟ ଜେରା କରିବ ଇଡି । ହାର୍ଡ କ୍ୟାସ୍‌ ଦେଇଥିଲେ ବି ସାଂଘାତିକ । ନଗଦ ଟଙ୍କା ବାବଦରେ ତଥ୍ୟ ନ ଦେଇପାରିଲେ ଅଡୁଆରେ ପଡ଼ିବା ନିଶ୍ଚିତ ।
ଇଡି ତାଲିକାର ଶୀର୍ଷରେ ଅଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ନାଗ୍‌ ତାଙ୍କୁ ୩ କୋଟି ଟଙ୍କା ମାଗିଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ସେ ବାବଦରେ ଅକ୍ଷୟ ପରିଜାଙ୍କୁ ପଚରାଉଚରା କରିପାରେ ଇଡି । କାହିଁକି ତିନି କୋଟି ଟଙ୍କା ମାଗିଥିଲେ ? ଅର୍ଚ୍ଚନା ନାଗଙ୍କୁ କେମିତି ଜାଣିଲେ ? ପୂର୍ବରୁ କେବେ ଟଙ୍କା ଦେଇଥିଲେ କି ? ହୋଟେଲରେ କ’ଣ କଥାବାର୍ତ୍ତା ହୋଇଥିଲେ ? ହୋଟେଲରେ କିଛି ଟଙ୍କା ନେଣଦେଣ ହୋଇଥିଲା କି? ଏସବୁର ଉତ୍ତର ଖୋଜିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ପାଖରେ ମଧ୍ୟ ପହଞ୍ଚି ପାରେ ଇଡି ।
ଅକ୍ଟୋବର ୭ରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ। ପରେ ଅକ୍ଟୋବର ୨୧ ତାରିଖରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁକୁ ସତ୍ୟବିହାର ଘରୁ ଗିରଫ କରିଥିଲା ପୋଲିସ । ଉଭୟ ଏବେ ଝରପଡା ଜେଲରେ । ସପ୍ତାହକୁ ଥରେ ମାତ୍ର ଦେଖା କରିବାର ସୁଯୋଗ ମିଳୁଛି । ସେ ପୁଣି ମାତ୍ର ୧୫ ମିନିଟ୍‌ ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.