ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା ଆଜି ୧୩ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିବ ଇଡି

କେନ୍ୟୁଜ (ବ୍ୟୁରୋ): ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଆଜି ପ୍ରାଥମିକ ଚାର୍ଜସିଟ ଦାଖଲ । ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ୧୩ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ବିରୋଧରେ ବି ଦାଖଲ ହେବ ଚାର୍ଜସିଟ୍‌ । ବର୍ତ୍ତମାନ ସୁଦ୍ଧା ପାଇଥିବା ତଥ୍ୟ ପ୍ରମାଣ ଚାର୍ଜସିଟରେ ଯୋଡ଼ା ଯାଇଛି । ଚାର୍ଜସିଟ୍‌ରେ ଅର୍ଚ୍ଚନାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଉଲ୍ଲେଖ କରିଛି ଇଡି । ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଅନେକ ବଡ଼ ବଡିଆଙ୍କୁ ବ୍ଲାକମେଲର ଶିକାର କରୁଥିଲେ । ସେ ହିଁ ରଚୁଥିଲେ ହନିଟ୍ରାପ, ସେକ୍ସଟୋର୍ସନ ଓ ବ୍ଲାକମେଲ । ଏଥିରେ ସହଯୋଗ କରୁଥିଲେ ଖଗେଶ୍ୱର ଓ ଜଗବନ୍ଧୁ । ଅର୍ଚ୍ଚନା ମାମଲାରେ ୧୫ ଜଣରୁ ଅଧିକ ସାକ୍ଷୀ ରହିବେ ।

ବିଗତ ଦିନରେ ଯେଉଁମାନେ ଇଡି ଅଫିସରେ ହାଜିରା ହେବା ସହ ଜେରାର ସାମନା କରିଥିଲେ ସେମାନେ ରହିବେ ସାକ୍ଷୀ । ସେମାନଙ୍କର PMLA ଧାରା ୫୦ରେ ଅଡିଓ ଏବଂ ଭିଡିଓ ରେକର୍ଡିଂ କରିଥିଲା ଇଡି । ସେସବୁକୁ ଚାର୍ଜସିଟରେ ଉଲ୍ଲେଖ କରିଥିବା ସୂଚନା ମିଳିଛି । ଏକାଧିକ ଭିଡିଓ କ୍ଲିପ୍‌ ଓ ଫୋନ୍‌ କଲ୍‌ ରେକର୍ଡିଂ ସହ ଅନ୍ୟାନ୍ୟ ପ୍ରମାଣ ଓ ଦସ୍ତାବିଜ୍‌ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି । ସେହିପରି ବିଳାସପୂର୍ଣ୍ଣ କାର୍‌, ମୂଲ୍ୟବାନ ଜିନିଷ କିଣିବାର ରସିଦ ସହ ଯେଉଁମାନଙ୍କ ସହ ଟଙ୍କା କାରବାର ହୋଇଥିଲା ସେମାନଙ୍କର ପାସ୍‌ ବୁକ ତଥ୍ୟ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି । ବ୍ଲାକମେଲିଂ ଓ ହନିଟ୍ରାପ ମାମଲାରେ ପ୍ରଥମେ ଗିରଫ ହୋଇଥିଲା ଅର୍ଚ୍ଚନା ନାଗ । ପରେ ଖଗେଶ୍ୱର ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇଥିଲେ । ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳିଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଜେରା କରି ସେମାନଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇଛି ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.