ରାଜ୍ୟରେ ପ୍ରବାହିତ ହେଉଛି ପଶ୍ଚିମା ଝଡ଼, ଆଗାମୀ ୨୪ ଘଣ୍ଟା ଯାଏ ରହିବ ବର୍ଷାର ପ୍ରଭାବ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପ୍ରବାହିତ ହେଉଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ଯାଏ ବର୍ଷାର ପ୍ରଭାବ ରହିବ। ଉତ୍ତର ଓଡ଼ିଶାର କିଛି ସ୍ଥାନରେ କୁଆପଥର ମାଡ଼ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ।

ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବ। ଘଡ଼ଘଡ଼ି ସହ ବର୍ଷା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କୁଆପଥର ମାଡ ପାଇଁ ୬ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ପଶ୍ଚିମା ଝଡ଼ ପ୍ରଭାବରେ ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି।

ଆଜିଠାରୁ ପାଗରେ ପୁଣି ପରିବର୍ତ୍ତନ ହେବ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ଦୁଇ ତିନି ଦିନରେ ତାପମାତ୍ରା ପୁଣି ହ୍ରାସ ପାଇବ। ରାତି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ଡିଗ୍ରୀ ସେଲସିୟସ ଖସିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.