ରାଜ୍ୟର ବିଭିନ୍ନ ସ୍ଥାନରେ ପବିତ୍ର ଇଦ୍-ଉଲ-ଜୁହା ପାଳିତ

ଆଜି ପବିତ୍ର ଇଦ୍-ଉଲ-ଜୁହା ବା ବକ୍ରି ଇଦ୍ । ମୁସଲମାନ ଭାଇମାନଙ୍କର ଏକ ପବିତ୍ର ପର୍ବ । ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ-ଜୁହା ପାଇଁ ସହରଠୁ ଗାଁ ପର୍ଯ୍ୟନ୍ତ ସବୁ ଚଳଚଞ୍ଚଳ ହୋଇପଡିଛି ।

ବ୍ରହ୍ମପୁର ଆଜି ସକାଳୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟ ଇଦଗା ପଡିଆରେ ମୁସଲମାନ ଧର୍ମାବଲମ୍ବୀ ମାନେ ଏକତ୍ରିତ ହୋଇ ସମୁହ ନମାଜ୍ ପାଠ କରିଥିଲେ । ଏହାପରେ ପରସ୍ପରକୁ ଆଲିଙ୍ଗନ କରି ଇଦ-ଉଲ୍-ଜୁହାର ଶୁଭେଚ୍ଛା ଜଣାଇଥିଲେ । ଆଜିର ଦିନରେ ନିଜର ସବୁଠୁ ପ୍ରିୟ ସାମଗ୍ରୀ ଆଲ୍ଲାଙ୍କ ନିକଟରେ ସମର୍ପଣ କରିବାର ପରମ୍ପରା ରହିଛି । ହିଂସା, ପାପ, ମାୟା ତ୍ୟାଗ କରି ଭାଇଚାରାର ଭାବ ସୃଷ୍ଟି ଉର୍ଦ୍ଦେଶ୍ୟରେ ଆଜିର ଦିବସ ପାଳନ କରାଯାଉଥିବା ମୁସଲମାନ ଧର୍ମାବଲମ୍ବୀ ମାନେ ପ୍ରକାଶ କରିଛନ୍ତି । ସେପଟେ ବକ୍ରୀ ଇଦ୍ ପାଳନକୁ ଦୃଷ୍ଟିରେ ବ୍ରହ୍ମପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ମୁସଲମାନ ଧର୍ମାବଲମ୍ବୀଙ୍କର ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ-ଜୁହା ପାଳିତ ହୋଇଯାଇଛି । ସକାଳୁ ମୁସଲମାନ ଧର୍ମାବଲମ୍ବୀମାନେ ନୂତନ ବସ୍ତ୍ର ପରିଧାନ କରି ସହର ପରିକ୍ରମା କରିବା ସହ ସ୍ଥାନୀୟ ମସଜିଦରେ ପହଂଚି ସମୂହ ନମାଜ ପାଠ କରିଛନ୍ତି ଏବଂ ପରସ୍ପରକୁ ଆଲିଙ୍ଗନ କରି ମୁବାରକ ମଧ୍ୟ ଦେଇଛନ୍ତି ।

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବ୍ରହ୍ମବରଦା ଅଂଚଳ ହୋଇଉଠିଛି ଉତ୍ସବମୁଖର । ଏହି ପର୍ବକୁ ନେଇ ସମସ୍ତେ ବେଶ ଉତ୍ସାହିତ ସକାଳୁ ମୁସଲମାନ ଭାଇମାନେ ସ୍ଥାନୀୟ ଇଦଗାହ ପଡିଆରେ ସମବେତ ହୋଇ ସମୂହ ନମାଜ ପାଠ କରିଥିଲେ । ପରେ ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ବିଶ୍ଵର କଲ୍ୟାଣ ହେବା ସହ ପରସ୍ପର ମଧ୍ୟରେ ଭାଇଚାରା ବଜାୟ ରଖିବା ପାଇଁ କାମନା କରାଯାଇଥାଏ ।