ବ୍ରାହ୍ମଣୀ ନଦୀରେ ବୁଡି ଗଲେ ବୃଦ୍ଧ, ୩୦ ଘଣ୍ଟା ପରେ ବି ନିଖୋଜ

ରେଙ୍ଗାଳି / କଣିଁହା : ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀରେ ବୃଦ୍ଧ । ବ୍ୟକ୍ତି ଜଣକ ହେଲେ ଅର୍ଜୁନ କୁମାର ସାହୁ (୬୪) । ଅର୍ଜୁନ ଗାଧୋଇବା ସମୟରେ ବୁଡି ନିଖୋଜ ହୋଇଯାଛନ୍ତି । ନିଖୋଜ ହେବାର ୩୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ଯ ଏଯାଏ ଅର୍ଜୁନଙ୍କର କୌଣସି ଖବର ମିଳିପାରିନାହିଁ ।
ଖୋର୍ଦ୍ଧା ବୋଲଗଡ ଅଞ୍ଚଳରୁ ଆସି ୪୦ ବର୍ଷ ହେବ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳରେ ରହି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଆସୁଥିଲେ ଅର୍ଜୁନ । ଗୋଟିଏ ପୁଅ , ଗୋଟିଏ ଝିଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କର ଥିଲା ପରିବାର । ଦୋଳ ପୂର୍ଣ୍ଣିମାରେ ନଦୀରେ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ ଅର୍ଜୁନ । କିଛି ଦୂରରୁ ଜଣେ ମହିଳା ବୁଡି ଯାଉଥିବା ଦେଖି ଚିତ୍କାର କରି କହିବାପରେ ଲୋକମାନେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ।
ଅଗ୍ନିଶମ ବାହିନୀ ଏବଂ ରେଙ୍ଗାଳି ପୋଲିସକୁ ଖବର ଦେଇଥିଲେ ନଦୀକୂଳରେ ଉପସ୍ଥିତ ଥିବା ଲୋକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିଥିଲେ । କିନ୍ତୁ ପାଇବାରେ ବିଫଳ ହୋଇଥିଲେ ଦମକଳ ବାହିନୀ । ଢେଙ୍କାନାଳ ରୁ ଓଡ୍ରାଫ ଟିମ୍ ଆସି ଖୋଜାଖୋଜି କରିଥିଲେ , ହେଲେ ୩୦ ଘଣ୍ଟାରୁ ଅଧିକ ସମୟ ଧରି ଖୋଜାଖୋଜି କରିବାପରେ ମଧ୍ୟ ଏପର୍ଯ୍ୟନ୍ତ ମିଳି ପାରିଲାନି ବୁଡିଯାଇଥିବା ବ୍ୟକ୍ତିଙ୍କର କୌଣସି ଖବର ।
ଯଦି NDRF ଟିମ୍ ଆସି ଖୋଜାଖୋଜି କରନ୍ତେ ତେବେ ମିଳି ପାରନ୍ତା ବୋଲି କହୁଛନ୍ତି ଅଞ୍ଚଳବାସୀ । ଏପଟେ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ କହିବା ଅନୁଯାଇ କାମରେ କୌଣସିପ୍ରକାର ବ୍ୟତିକ୍ରମ କରାଯାଇନାହିଁ । ତେବେ କେବେ ମିଳୁଛି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ, ତାକୁହିଁ ଅପେକ୍ଷା ।