ପୁଅ ବୋହୂ ନିର୍ଯ୍ୟାତନା ଦେଲେ ବୋଲି ସମ୍ପତ୍ତିରୁ ବେଦଖଲ କଲେ ବୃଦ୍ଧା ବାପା ମାଆ

କାମାକ୍ଷାନଗର : ବୁଢ଼ା କାଳେ ସାହାରା ପାଲଟେ ପୁଅ । ସବୁ ବାପା ମାଆ ପୁଅଟେ ଜନ୍ମ କରି ଆଶା ରଖିଥାନ୍ତି ଯେ ବୟସର ଅପରାହ୍ନରେ ପୁଅର ଭରଷାରେ ବାକି ଜୀବନ କଟିଯିବ । ନାତି ନାତୁଣୀଙ୍କ ମୁହଁ ଦେଖି ଜୀବନଟା ପାର ହେଇଯିବ । ନାତି, ନାତୁଣୀ ଙ୍କ ସହ ଖେଳକୁଦରେ ସମୟ ବିତିଯିବ । ହେଲେ ଯୋଉ ପୁଅ, ବୋହୁଙ୍କୁ ନେଇ ଏତେ ସ୍ବପ୍ନ ଦେଖିଥିବେ । ବୁଢ଼ା ବୟସରେ ଯଦି ସେଇମାନେ ହିଁ କଷ୍ଟ ଦେବେ, ଖାଇବାକୁ ଦେବେନି । ମାଡ ଗାଳି ଦେବେ ତାହେଲେ ସେହି ବାପା ମାଆଙ୍କୁ କେମିତି ଲାଗୁଥିବ ଥରେ ଭାବିଲେ । ଯୋଉ ପୁଅକୁ ଛୋଟରୁ ବଡ କଲେ ଆଜି ମୁଣ୍ଡକୁ ହାତ ପାଇଗଲା ପରେ ଘରକୁ ବୋହୂ ଆସିଗଲା ପରେ ସେହି ପୁଅ ଭୁଲିଯାଉଛି ବାପା ମାଆଙ୍କ ମହତ୍ତ୍ୱ । ଏବେ ଏମିତି ଗୋଟେ ଘଟଣା ଘଟିଛି, ଯାହାକୁ ଶୁଣିଲେ ଆପଣଙ୍କ ମନ ବି ବ୍ୟଥିତ ହୋଇଯିବ ।

ବୁଢା ବୟସରେ ଖାଇବାକୁ, ପିଇବାକୁ ନଦେଇ ଅନେକ ନିର୍ଯାତନା ଦେଲେ । ପୁଅ ବୋହୂଙ୍କ ଗାଳି ଓ ନିର୍ଯ୍ୟାତନା ସହି ସହି ଆଉ ସମ୍ଭାଳି ନପାରି ଶେଷରେ ବାଧ୍ୟ ହୋଇ ଆଇନର ଦ୍ୱାରସ୍ଥ ହେଲେ ବୃଦ୍ଧ । ଆଉ ସମସ୍ତ ଘଟଣା କୁ ତର୍ଜମା କରି ଚାରି ପୁଅ ବୋହୁଙ୍କୁ ବାପାଙ୍କ ସ୍ୱଅର୍ଜିତ ସମ୍ପତ୍ତିରୁ ବେଦଖଲ କରିବା ସହ ଘରୁ ତୁରନ୍ତ ବାହାରିବାକୁ ନିର୍ଦେଶ ଦେଲେ କାମାକ୍ଷାନଗର ସିଭିଲ କୋର୍ଟ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୂବନ ବ୍ଲକ କହେଁଇପାଳ ଗାଁରେ । ଗାଁର ରତ୍ନାକର ସାହୁଙ୍କ ଚାରି ପୁଅ । ତିନି ପୁଅ ନରହରି, ଶ୍ରୀଧର, କାଳନ୍ଦୀ ବାହାଘର ପରେ ଅନ୍ୟତ୍ର ରହୁଥିଲାବେଳେ ସାନପୁଅ କନ୍ଦର୍ପ ଓ ବୋହୁ ଝିଲିଙ୍କ ପାଖରେ ରତ୍ନାକର ରହୁଥିଲେ । କିନ୍ତୁ ସାନ ପୁଅ ଓ ବୋହୁ ବୃଦ୍ଧା ବାପା ମାଆଙ୍କୁ ଖାଇବାକୁ ନଦେଇ ଘରେ ନିର୍ଯାତନା ଦେଉଥିଲେ , ବାରମ୍ବାର ହଇରାଣ କରୁଥିଲେ । ପୁଅ ବୋହୁଙ୍କ ଅତ୍ୟାଚାର ଏତେ ବଢ଼ିଗଲା ଯେ ଅତିଷ୍ଠ ହୋଇ ରତ୍ନାକର ଆଇନର ଦ୍ୱାରସ୍ଥ ହେଲେ ବାପା ମାଆ ।

ଶେଷରେ ମାନ୍ୟବର କାମାକ୍ଷାନଗର ସିଭିଲ କୋର୍ଟ ଏହି ଘଟଣାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି । ବାପା ମା ଙ୍କୁ ନପଚାରିବା, ସେମାନଙ୍କ କୌଣସି ପ୍ରକାର ସେବା ଯତ୍ନ ନକରିବା, ସେମାନଙ୍କୁ ଖାଇବାକୁ ନଦେବା ଓ ନିର୍ଯାତନା ଦେବା ଅଭିଯୋଗରେ ଚାରି ପୁଅ ଓ ବୋହୂଙ୍କୁ ବାପାଙ୍କ ସ୍ଵଅର୍ଜିତ ସମ୍ପତ୍ତିରୁ ବେଦଖଲ କରିବା ସହ ପୈତୃକ ଘରୁ ତୁରନ୍ତ ବାହାରିଯିବା ପାଇଁ ନିର୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ତେବେ ଏହାକୁ ନେଇ ଆମେ ଯେତେବେଳେ ତାଙ୍କୁ ପଚାରିଥିଲୁ ବୃଦ୍ଧ ବାପା, ମା କ୍ୟାମେରା ସାମ୍ନାରେ କୌଣସି ତଥ୍ୟ ପ୍ରକାଶ କରିନଥିଲେ ।

ତେବେ କିନ୍ତୁ କେସ ପରିଚାଳନା କରୁଥିବା ଆଡ଼ଭୋକେଟ ଅଜିତ କୁମାର ଦାଶ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଏହି ଘଟଣା ପରେ ପୁଅ ବୋହୁଙ୍କର କୌଣସି ପ୍ରତିକ୍ରୀୟା ମିଳିନି ।ସତରେ କୋର୍ଟର ଏହି ରାୟ ପରେ ଏଭଳି ବାପା ମାଆଙ୍କୁ ନିର୍ଯ୍ୟାତନା ଦେଉଥିବା ଅନେକ ପୁଅ ବୋହୂ ଚେତି ଯିବେ ନିଶ୍ଚିତ । ଆଉ ଯିଏ ବି ଏମିତି କରନ୍ତି ସେମାନେ ମନେ ରଖନ୍ତୁ ଏଇ ବୁଢ଼ା ବାପା ମାଆଙ୍କ ପୁଅ ବୋହୂ ଭଳି ଆପଣଙ୍କର ବି ଅବସ୍ଥା ସେମିତି ହେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like