କେବେ ହେବ ପୌର ନିର୍ବାଚନ ? ପ୍ରସ୍ତୁତ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ବର : ସେପ୍ଟେମ୍ବରରୁ ସରିଛି ପୌରପାଳିକାର ନିର୍ବାଚିତ ପ୍ରତିନିଧିଙ୍କର କାର୍ଯ୍ୟକାଳ । ରାଜ୍ୟରେ ବର୍ତ୍ତମାନ ପୌରପାଳିକାଗୁଡ଼ିକ ଦାୟିତ୍ୱରେ ଅଛନ୍ତି ପ୍ରଶାସନିକ ଅଧିକାରୀ । କେବେ ହେବ ପୌର ନିର୍ବାଚନ ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ପୌର ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଅଛନ୍ତି । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ବାଚନ କମିଶନ ଜଣାଇଛନ୍ତି, ଖୁବ୍ଶୀଘ୍ର ସୀମା ପୁନଃ ନିର୍ଦ୍ଧରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବାକୁ । ଏଥର ମେୟର, ପୌରାଧ୍ୟକ୍ଷ ଓ ଏନ୍ଏସି ଅଧ୍ୟକ୍ଷ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେଉଥିବାରୁ ଆୟୋଗ ଏନେଇ ପ୍ରସ୍ତୁତି ଶେଷ କରିଛନ୍ତି । ପୂର୍ବରୁ କର୍ପୋରେଟର ଓ କାଉନସିଲରମାନେ ମେୟର ଓ ଅଧ୍ୟକ୍ଷ ନିର୍ବାଚନ କରୁଥିଲେ। କିନ୍ତୁ ଅନେକ ସମୟରେ ଗୋଟିଏ ଦଳରୁ ନିର୍ବାଚିତ କର୍ପୋରେଟର ଓ କାଉନସିଲରମାନେ ମେୟର କିମ୍ବା ଅଧ୍ୟକ୍ଷ ନିର୍ବାଚନ ବେଳେ ଅନ୍ୟ ପାର୍ଟିର ପ୍ରାର୍ଥୀଙ୍କୁ ଭୋଟ୍ ଦେଉଥିଲେ ।
ଏପରି ଘଟଣା ରୋକିବାକୁ ନିୟମରେ ସଂଶୋଧନ କରାଯାଇଛି। ରାଜ୍ୟରେ ୧୧୪ଟି ପୌରା ସଂସ୍ଥା ଭିତରୁ ଗତ ବର୍ଷ ସେପ୍ଟେମ୍ବର ୩୦ରେ ୬୫ଟି ପୌର ସଂସ୍ଥାର କାର୍ୟ୍ୟକାଳ ସରିଥିଲା । ଡିସେମ୍ବର ୪ ସୁଦ୍ଧା ସରିଥିଲା ଆଉ ୨୦ଟି ପୌର ସଂସ୍ଥାର କାର୍ଯ୍ୟକାଳ। କିନ୍ତୁ ଆଇନଗତ ସମସ୍ୟା ଥିବାରୁ ନିର୍ବାଚନ ହୋଇ ପାରିଲା ନାହିଁ । ରାଜ୍ୟ ସରକାର ପୌର ପାଳିକା ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ସେଥିରୁ ୫୫ ପ୍ରତିଶତ ପୌରପାଳିକାରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ଥିଲା। ଏହାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ । ୨୦୧୮ ଏପ୍ରିଲ ୧୮ର ରାୟରେ ହାଇକୋର୍ଟ କହିଥିଲେ, ଏସ୍ସି-ଏସ୍ଟି ଓ ଓବିସି ନେଇ ଥିବା ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇ ପାରିବ ନାହିଁ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ରାଜ୍ୟ ସରକାର । ସୁପ୍ରିମକୋର୍ଟ ଗତବର୍ଷ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ଆବେଦନ ଖାରଜ କରିଥିଲେ। ଏହି ପ୍ରକ୍ରିୟା ଭିତରେ ବିଳମ୍ବ ହୋଇଥିଲା ପୌର ନିର୍ବାଚନ।