ଅର୍ଥ ଓ ବାହୁବଳ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅ : ରାଜ୍ୟ ସରକାରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ନିର୍ବାଚନକୁ ନେଇ ରାଜ୍ୟ ସରକାର କେତେ ପ୍ରସ୍ତୁତ ? ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କ ମଧ୍ୟରେ ଆଲୋଚନା। ଫୋକସରେ ଥିଲା ଆଇନଶୃଙ୍ଖଳା, ସରକାରୀ କଳର ଅପବ୍ୟବହାର, ଆଦର୍ଶ ଆଚରଣ ବିଧି, ଟଙ୍କା ଓ ମଦ କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ଅର୍ଥ ଓ ବାହୁବଳ ଉପରେ ରୋକ ଲଗାଇଭାକୁ କୁହାଯାଇଛି । କାରଣ ନିର୍ବାଚନ ବେଳେ ଆମ୍ବୁଲାନ୍ସ, ପୋଲିସ ଭ୍ୟାନ୍ ଏବଂ ପେଟ୍ରୋଲ ପମ୍ପ ମାଧ୍ୟମରେ ବ୍ୟାପକ ପରିମାଣରେ ଟଙ୍କା କାରବାର ଅଭିଯୋଗ ହୋଇଥାଏ। ଟଙ୍କା, ମଦ ବାଣ୍ଟିବା ଓ ଡ୍ରଗ୍ସ କାରବାର ଉପରେ ନଜର ରଖିବେ ଫ୍ଲାଇଂ ସ୍କ୍ଵାଡ୍, ସର୍ଭେଲାଏନ୍ସ ସ୍କ୍ଵାଡ୍। ପ୍ରତି ଜିଲ୍ଲାରେ ନିୟୋଜିତ ହେବେ ଆୟକର ବିଭାଗର ଅଧିକାରୀ। ଏୟାରପୋର୍ଟରେ ବି ମୁତୟନ ରହିବେ। ଏହାସହ ସି-ଭିଜିଲ୍ ନାମକ ଏକ ଆପ୍ଲିକେସନ୍ରେ ସାଧାରଣ ଲୋକ ବି ସିଧାସଳଖ କମିଶନଙ୍କ ନିକଟରେ ଅଭିଯୋଗ କରି ପାରିବେ। ଆସନ୍ତା ୨୦ ତାରିଖ ସୁଦ୍ଧା ସରିବ ସରକାରୀ ଅଧିକାରୀଙ୍କ ବଦଳି ପ୍ରକ୍ରିୟା। ଆଦର୍ଶ ଆଚରଣ ବିଧି ଲାଗୁ ପରେ ସରକାରୀ ହୋର୍ଡିଂ ହଟିବ।
ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ୨୨ ତାରିଖରେ ପଡ଼ୋଶୀ ରାଜ୍ୟଗୁଡିକ ସହ ସମ୍ବନୟ ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ବୈଠକ ବସିବ। ମାଓ ଅଧ୍ୟୁଷିତ ଜିଲ୍ଲାରେ ନିର୍ବାଚନ ପରିଚାଳନା ନେଇ ପଡ଼ୋଶୀ ରାଜ୍ୟର ପୋଲିସ, ଗ୍ରେହାଉଣ୍ଡ, ସିଆରପିଏଫର ସମନ୍ଵୟ ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ବେଆଇନ ମଦ କାରବାରକୁ ରୋକିବା ପାଇଁ ସବୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ପୋଲିସ ଡିଜି କହିଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରରେ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ନିର୍ବାଚନ ପାଖେଇବା ସହ ପ୍ରଚାର ପ୍ରସାର ନେଇ ରାଜନୈତିକ ଦଳଗୁଡ଼ିକ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର କରୁଛନ୍ତି। ତେଣୁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ଏହାକୁ ସାମିଲ କରାଯିବ। ପେଡ୍ ନ୍ୟୁଜ୍ ଉପରେ ରହିବ କଡ଼ା ନଜର। ଏଦିଗରେ ପଦକ୍ଷେପ ନେବ ମିଡିଆ ମନିଟରିଂ ଓ ମିଡିଆ ସାର୍ଫିଟିଫିକେସନ୍ କମିଟି।