ରାସ୍ତା ମଝିରେ ଠିଆ ହୋଇଛି ବିଦ୍ୟୁତ ଖୁଣ୍ଟ, ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଗାଁ ଲୋକେ

ଟାଙ୍ଗୀ: ରାସ୍ତା ମଝିରେ ଠିଆ ହୋଇଛି ବିଦ୍ୟୁତ ଖୁଣ୍ଟ । ଲୋକେ କଣ ବା କରିବେ ଅନ୍ୟ ରାସ୍ତା ନଥିବାରୁ ବାଧ୍ୟ ହୋଇ ଏହି ରାସ୍ତାରେ ଯାଉଛନ୍ତି । ମରଣକୁ ସତେ ଯେମିତି ହାତ ଠାରି ଡାକୁଛି ଏହି ବିଦ୍ୟୁତ ଖୁଣ୍ଟ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନ ଭଜାଗଡ଼ରୁ ଉଦିଗିରି ଦେଇ ଜାତୀୟ ରାଜପଥକୁ ଲମ୍ବି ଥିଲା ମାଟି ରାସ୍ତା । ଏବେ ଏହି ରାସ୍ତାର କାୟା ପରିବର୍ତ୍ତନ ହୋଇ ନୂଆ ପିଚୁ ରାସ୍ତା ନିର୍ମାଣ ହୋଇଛି । ଦୀର୍ଘ ଦିନରୁ ମାଟି ରାସ୍ତାରେ ଏହି ବିଦ୍ୟୁତ ଖୁଣ୍ଟ ଥିଲା । କିନ୍ତୁ ନୂଆ ପିଚୁ ରାସ୍ତା ହେବା ପରେ ମଧ୍ୟ ବିପଦ ସଂକୁଳ ବିଦ୍ୟୁତ ଖୁଣ୍ଟ ସେମିତି ଦଣ୍ଡାୟମାନ ହୋଇ ରହିଛି । ଯାହା ଫଳରେ ସେହି ରାସ୍ତା ଦେଇ ଗାଡି, ମଟର ଗଲା ବେଳେ ସତେ ଯେମିତି ଲାଗୁଛି ମରଣକୁ ହାତ ଠାରି ଡାକୁଛି ଏହି ଖୁଣ୍ଟ । କେତେ ବେଳେ ଯେ ଅଘଟଣ ଘଟିବ କହିବା ମୁସ୍କିଲ ।
ସରକାର ଲୋକଙ୍କ ଗମନାଗମନ ପାଇଁ ନୂଆ ନୂଆ ରାସ୍ତା ନିର୍ମାଣ କରୁଛନ୍ତି । କିନ୍ତୁ ତଳ ସ୍ତରର ଅଧିକାରୀ ସଠିକ ଢଙ୍ଗରେ ତଦାରଖ ନକରି ନିର୍ମାଣ କରିବାକୁ ଅନୁମତି ଦେଉଛନ୍ତି ଠିକାଦାରମାନଙ୍କୁ, ଯାହାର ଜ୍ବଳନ୍ତ ଉଦାହରଣ ଏହି ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଣ୍ଟ । ନିୟମ ଅନୁସାରେ ରାସ୍ତା ନିର୍ମାଣ ପୂର୍ବରୁ ଏହି ସବୁ ସମସ୍ୟାର ସମାଧାନ କରିବା ପରେ ରାସ୍ତା ନିର୍ମାଣ ହେବା କଥା କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଓଲଟା ପରିସ୍ଥିତି । ଏଥିପାଇଁ ଗ୍ରାମବାସୀ ରାସ୍ତା ନିର୍ମାଣ ପୂର୍ବରୁ ସ୍ଥାନୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ହେଲେ ଫଳ ଶୂନ । ସେମାନଙ୍କ ଅଭିଯୋଗ ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ନହଟିଲେ ରାସ୍ତା ରୋକ ହେବ ।
ଏ ସମ୍ପର୍କରେ RD JEଙ୍କ କହିବା କଥା ତୁରନ୍ତ ଆମେ ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଣ୍ଟ ରାସ୍ତା କଡ଼କୁ ସ୍ଥାନାନ୍ତର କରିଦେବୁ । କିନ୍ତୁ ପ୍ରଶ୍ନ ଉଠୁଛି ରାସ୍ତା ନିର୍ମାଣ ପୂର୍ବରୁ ଏ ବିଦ୍ୟୁତ ଖୁଣ୍ଟକୁ କାହିଁକି ହଟାଗଲାନି । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏବେ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ ।