ମହଙ୍ଗା ହୋଇପାରେ ବିଜୁଳି ବିଲ୍‌, ୟୁନିଟ୍ ପିଛା ୫୪ ପଇସା ବଢ଼ାଇବାକୁ ପ୍ରସ୍ତାବ

ମହଙ୍ଗା ହୋଇପାରେ ବିଜୁଳି । ବିଜୁଳି ବିଲ୍ ବାବଦରେ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଅଧିକ ଟଙ୍କା । ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି । ଓଇଆରସି ନିକଟରେ ଗ୍ରୀଡକୋ ଦାଖଲ କରିଥିବା ବାର୍ଷିକ ରାଜସ୍ବ ଆବଶ୍ୟକତା ଦରଖାସ୍ତରେ ବିଦ୍ୟୁତ ଶୁଳ୍କ ବଢାଇବାକୁ ପ୍ରସ୍ତାବ ଦିଆଯାଇଛି  । ୨୦୨୩-୨୪ରେ ବିଦ୍ୟୁତ ୟୁନିଟ ପିଛା ପାଇକାରୀ ମୂଲ୍ୟ ୩ ଟଙ୍କା ୨୯ ପଇସା ଥିଲା ।

ନଭେମ୍ବରରେ ଦାଖଲ କରିଥବା ଆବେଦନପତ୍ରରେ ଆୟୋଗକୁ ଗ୍ରୀଡକୋ ଜଣାଇଛି ଯେ, ୨୦୨୫-୨୬ରେ ବାର୍ଷିକ ୩୮ ହଜାର ୮୧୪ ୟୁନିଟ ବିଦ୍ୟୁତ୍ ବିକ୍ରି ଯୋଜନା ରହିଛି । ପୂରା ବିଦ୍ୟୁତ୍ କିଣାବିକା ଓ ନିଜର ସମସ୍ତ ଆବଶ୍ୟକତାକୁ ହିସାବକୁ ନେଲେ ପାଖାପାଖି ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ । ଅର୍ଥାତ୍ ୟୁନିଟ ପିଛା ୩ ଟଙ୍କା ୯୫ ପଇସା ଉପଭୋକ୍ତା ଦେଲେ ଯାଇ ଏହା ଭରଣା ହେବ। ରିଟର୍ଣ୍ଣ ଅନ ଇକ୍ବିଟିକୁ ବାଦ ଦିଆଗଲେ ୧୪ ହଜାର ୮୨୦ କୋଟି ଟଙ୍କା ଆବଶ୍ୟକ ହେବ । ଅର୍ଥାତ୍ ୟୁନିଟ ପିଛା ୩ ଟଙ୍କା ୮୨ ପଇସାରୁ କମ୍ ହେଲେ ଗ୍ରୀଡକୋ କ୍ଷତି ସହିବ । ୨୦୨୫-୨୬ରେ ଗ୍ରୀଡକୋ ପ୍ରସ୍ତାବକୁ ଯଦି ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ମାନି ନିଅନ୍ତି, ତେବେ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବଢ଼ିବ । ସେସୁ, ୱେସକୋ, ନେସ୍କୋ ଏବଂ ସାଉଥ କୋ କମ୍ପାନୀକୁ ଟାଟାକୁ ବିକ୍ରି ସମୟରେ ବକେୟା ଅର୍ଥ ଏଯାଏ ପରିଶୋଧ ହୋଇନି । ଚଳିତ ବର୍ଷ ନିର୍ବାଚନ ବର୍ଷ ଥିବାରୁ ବିଜୁଳି ଦର ବଢି ନଥିଲା । ବିଦ୍ୟୁତ ଶୁଳ୍କ ବଢ଼ିଲେ କୋଟିଏ ଉପଭୋକ୍ତା ପ୍ରଭାବିତ ହେବା ଆଶଙ୍କା ରହିଛି । ବୃଦ୍ଧିକୁ ଉପଭୋକ୍ତା ମହାସଂଘର ବିରୋଧ କରୁଛି । ଦର ବଢାଇଲେ ଆନ୍ଦୋଳନ କରାଯିବ ବୋଲି ମହାସଂଘ କହିଛି ।