ପୁରୀରେ ଇଲେକ୍ଟ୍ରି ବିଲରେ ଚଞ୍ଚକତା ଅଭିଯୋଗ: ଟିଭି, ଫ୍ରିଜ୍, ଏସି, ସବୁ ବ୍ୟବହାର ପରେ ବି ଆସୁଛି ମାତ୍ର ୨୦ ଟଙ୍କା

ପୁରୀ: ଇଲେକ୍ଟ୍ରିବିଲ୍ । ଯାହା ପ୍ରତି ମାସରେ ଜଣେ ସାଧାରଣ ଉପଭୋକ୍ତା ପାଇଁ ଚିନ୍ତାର କାରଣ ପାଲଟିଥାଏ । କାହିଁକି ନା ଘର ଭଡା, ପିଲା ଛୁଆଙ୍କ ଖର୍ଚ୍ଚ, ଘର ଖର୍ଚ୍ଚ ପରେ ଯାହା ରୁହେ ପ୍ରତି ମାସରେ ଇଲେକ୍ଟ୍ରିବିଲ୍ ଦେଇଥାନ୍ତି ସଭିଏଁ । ଥାଉ ନଥାଉ ଯେହେତୁ ଘରେ ଇଲେକ୍ଟ୍ରି ବ୍ୟବହାର କରୁଛେ ମାନେ ବିଲ୍ ପୈଠ କରିବାକୁ ବାଧ୍ୟ ।
ତେବେ ଏମିତି ଏକ ଘଟଣା ଏବେ ମାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିବ । ଏଠି ଗରିବ ମୁଣ୍ଡ ଝାଳ ତୁଣ୍ଡରେ ମାରି ଜୀବନ ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ, ଏପଟେ କିନ୍ତୁ ବଡ ବଡିଆଙ୍କୁ ସବୁ ମାଫ୍ । ହଁ ଆଜ୍ଞା ଏମିତି ଏକ ଘଟଣା ଘଟିଛି ପୁରୀ ସହରରେ ।
ପୁରୀ ସହରରେ ବଡ଼ବଡ଼ିଆଙ୍କ ପ୍ରତି ଟିପିସିଓଡିଏଲ୍ ର ଅହେତୁକ ଅନୁକମ୍ପା । ଲାଗିଛି ମିଟର । ହେଲେ ଆସୁନି ଇଲେକ୍ଟ୍ରିବିଲ୍ । ଘରେ ଟିଭି,ଫ୍ରିଜ,ଏସି ,ପାଣି ମୋଟର ବ୍ୟବହାର କରି ମଧ୍ୟ ମାସିକ ମାତ୍ର ୨୦ ଟଙ୍କା ବିଦ୍ୟୁତ୍ ବିଲ୍ ଆସୁଛି । ଏହା ଆଶ୍ଚର୍ଯ୍ୟ ମନେ ହେଉଥିଲେ ବି ସତ୍ୟ ।
କିଛି ଦିନ ତଳେ ଆମ ଆଦମୀ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ଦିଆଯିବା ପରେ ଏହି ଖବର ପ୍ରସାରିତ ହୋଇଥିଲା । ପୁରୀ ସହରରେ ୩୦ରୁ ଅଧିକ ସେବାୟତଙ୍କ ମାସିକ ବିଲ୍ ଦୀର୍ଘ ବର୍ଷ ହେବ ମାତ୍ର ୨୦ ଟଙ୍କା ଆସୁଥିବା ପ୍ରେସମିଟରେ ଅଭିଯୋଗ କରିଥିଲା ଆପ୍ । ଏହି ଖବର ଜଣାପଡିବା ପରେ ଏହାକୁ ଅତି ଗୁରୁତର ସହ ନେଇଛନ୍ତି ଜିଲ୍ଲାପାଳ ।
ଏହି ଘଟଣା ନିନ୍ଦନୀୟ । ସମସ୍ତଙ୍କ ଲାଗି ନିୟମ ସମାନ । ବିଦ୍ୟୁତ୍ ବିଲରେ ଚଞ୍ଚକତା ଓ ବଡ଼ବଡ଼ିଆଙ୍କ ପ୍ରତି ଅହେତୁକ ଅନୁକମ୍ପା ଘଟଣାର ଉଚ୍ଚସ୍ତରୀୟ ଟିମ୍ ଦ୍ୱାରା ଅନୁଧ୍ୟାନ ହେବା ସହିତ ଏଥିରେ ଯେଉଁ ହିତାଧିକାରୀ,ଟିପିସିଓଡିଏଲ ଅଧିକାରୀ ଓ କର୍ମଚାରୀ ସାମିଲ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଏହି ଘଟଣା ପଦାରେ ପଡିବା ପରେ ଏବେ ସବୁଠି ଆଲୋଚନାର କେନ୍ଦ୍ରବିନ୍ଦୁ । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଜୋର ଧରିଛି ।