ବିଦ୍ୟୁତ କଟିଲେ ଥାନା ଅନ୍ଧାର, ମୋବାଇଲ ଟର୍ଚ୍ଚରେ କାର୍ଯ୍ୟ କରୁଛନ୍ତି ପୋଲିସ

ଅସ୍ତରଙ୍ଗ : କିଟିକିଟି ଅନ୍ଧାରରେ ଚାଲିଛି କାମ । ଅନ୍ଧାର ଭିତରେ ମୋବାଇଲ ଫ୍ଲାସ୍ ଲାଇଟରେ ଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ କାର୍ଯ୍ୟ କରୁଥିବାର ଚିତ୍ର ନଜରକୁ ଆସିଛି । ଅନ୍ଧାରରେ ସାଧାରଣ ଲୋକମାନେ ମଧ୍ୟ ଥାନା ପରିସରରେ ମୋବାଇଲ ଫ୍ଲାସ ଲାଇଟ ଧରି ଯିବାଆସିବା କରୁଥିବା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥାର ଚିତ୍ର । ବିଦ୍ୟୁତ କଟିଲେ ଥାନା ଅନ୍ଧାର । ଠିକ୍ ଶୁଣିଲେ ଆଜ୍ଞା ବିଦ୍ୟୁତ ସରବରାହ ରହିଲେ ଅସ୍ତରଙ୍ଗ ଥାନାରେ ଲାଇଟ ଜଳୁଛି । କିନ୍ତୁ ଯଦି କୌଣସି କାରଣ ବଶତଃ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଉଛି ବା ବିଦ୍ୟୁତ କଟି ଯାଉଛି ସେହି ସମୟରେ ଅସ୍ତରଙ୍ଗ ଥାନା କିଟିମିଟି ଅନ୍ଧାର ହୋଇଯାଉଛି । ଯାହା ଜରୁରୀକାଳୀନ ସେବାକୁ ପ୍ରଭାବିତ କରୁଛି ।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଥାନାର ଭୂମିକା ଗୁରୁତ୍ବପୂର୍ଣ୍ଣ । ଥାନା ଗୁଡିକରେ ଅନଲାଇନ ମାଧ୍ୟମରେ ଅଭିଯୋଗ ପଞ୍ଜୀକରଣ କରାଯିବା ସହିତ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଟେକ୍ନୋଲୋଜିକୁ ଆପଣାଇ କାର୍ଯ୍ୟ କରାଯାଉଛି । ଯେତେ ସବୁ ସୂଚନା ଆଦାନପ୍ରଦାନର ମାଧ୍ୟମ ସହିତ ଅନଲାଇନ ସେବା ଗୁଡିକ କାର୍ଯ୍ୟକାରୀ କରିବା ପଛରେ ଇଲେକ୍ଟ୍ରିକ୍ ବା ବିଦ୍ୟୁତର ଆବଶ୍ୟକତା ରହିଛି । ବିନା ବିଦ୍ୟୁତ ସରବରାହରେ ଥାନାରେ କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ।
ଏଥିପାଇଁ ପ୍ରତ୍ୟେକ ଥାନାରେ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ପାଇଁ ସବୁପ୍ରକାର ବ୍ୟବସ୍ଥା ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି । କିନ୍ତୁ ଅସ୍ତରଙ୍ଗ ଥାନାରେ ଦେଖିବାକୁ ମିଳିଛି ଓଲଟା ପରିସ୍ଥିତି ।
ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ଅସ୍ତରଙ୍ଗ ଠାରେ ୨୦୦୯ ମସିହାରେ ଅସ୍ତରଙ୍ଗ ଫାଣ୍ଡିର କଳେବର ବୃଦ୍ଧି ପାଇ ଅସ୍ତରଙ୍ଗ ଥାନାରେ ପରିଣତ ହେଲା । ଅସ୍ତରଙ୍ଗ ଥାନାର ଭିତ୍ତିଭୂମି ସୁଦୃଢ କରିବା ପାଇଁ ଅସ୍ତରଙ୍ଗ ତହସିଲ ପଛ ପାର୍ଶ୍ବରେ ଅସ୍ତରଙ୍ଗ ଥାନାର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ନୂତନ ଗୃହ ନିର୍ମାଣ ସରିବା ପରେ ୨୦୨୪ ମସିହା ଡିସେମ୍ବର ୧୬ ତାରିଖରେ ଏହା ଉଦ୍ଘାଟନ ହୋଇଥିଲା । ଆଜକୁ ମାତ୍ର ୩୯ ଦିନ ହେବ କାର୍ଯ୍ୟକାରୀ ହୋଇଥିବା ଥାନା ଗୃହରେ ବିଦ୍ୟୁତ କଟିଗଲେ ଅନ୍ଧାର ହୋଇଯାଉଛି । ଏନେଇ ପୁରୀ ଜିଲା ଅତିରିକ୍ତ ଏସପିଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଜାଣି ନଥିବା କହିଥିବା ବେଳେ ଏହି ସମସ୍ୟାର ସମାଧାନ ଆସନ୍ତା ସାତ ଦିନ ମଧ୍ୟରେ କରାଯିବ ବୋଲି କହିଛନ୍ତି ।