ହାତୀ ପାଇଁ ହଜିଲାଣି ନିଦ, କେଉଁଠି କରୁଛି ଉପଦ୍ରବ ତ’ କେଉଁଠି ମିଳୁଛି ମୃତଦେହ

ମୟୂରଭଞ୍ଜ /ବଣାଇ : ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆ ପଞ୍ଚାୟତ କିଆଖାଇରୁ ହାତୀର ମୃତଦେହ ଉଦ୍ଧାର । ଗାଁର ମୋହନ ହାଁସଦାଙ୍କ ଘର ପଛପଟେ ପଡ଼ିଛି ହାତୀର ମୃତଦେହ । ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ବିଦ୍ୟୁତତାର ସଂସ୍ପର୍ଶରେ ଆସି ମାଇହାତୀର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ମୃତ ହାତୀର ବୟସ ୬ରୁ ୭ ବର୍ଷ ହୋଇଥିବା ସୂଚନା ମିଳିଛି । ଆଜି ଭୋର ଚାରିଟାରୁ ପାଞ୍ଚଟା ସମୟରେ ବିଦ୍ୟୁତ ଆଘାତ ପାଇ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନ ବିଭାଗ ।
ସେହିପରି ବଣାଇରେ ଗୋଠ ଛଡ଼ା ଦନ୍ତା ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ସହରର କଲହ ସାହିରେ ଦୁଇଟି ଘର ଭାଙ୍ଗିଲା ଦନ୍ତାହାତୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜରେ ଦଶ ଦିନ ହେଲା ଉତ୍ପାତ ଚଲାଇଛି ଗୋଠଛଡ଼ା ଦନ୍ତାହାତୀ । ଗତକାଲି ଦେଓଗାଁରେ ପରେ ଆଜି କଲହ ସାହିରେ ପୁଣି ଦୁଇଟି ଘର ଭାଙ୍ଗିଲା । ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ପରିବାର । ଇଲେକଟ୍ରିକ ତାର ଛିଣ୍ଡିଯିବାରୁ କରେଣ୍ଟ ଖାଇବା ପରେ ହାତୀ ଟି ସେଠାରୁ ପଳାଇଥିଲା ।