ନାତି ସାମ୍ନାରେ ବୃଦ୍ଧଙ୍କୁ ଘରୁ ଘୋଷାଡ଼ି ମାରିଲା ଦନ୍ତା

ହିନ୍ଦୋଳ: ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା ।  ମୃତକ ଢେଙ୍କାନାଳ ହିନ୍ଦୋଳ ଥାନା ବଙ୍ଗୁ ଗାଁର ଶିଖର ସାହୁ ।  ଗତକାଲି ରାତିରେ ବୃଦ୍ଧ ଜଣକ ନାତି ସହ ବାହାରକୁ ଆସିଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ। ଦନ୍ତା ଶିଖରଙ୍କୁ ଘୋଷାଡି ଦଳିଦେଇଥିବାବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ନାତି ସୂର୍ଯ୍ୟକାନ୍ତ ପ୍ରଧାନ ।

ସୂଚନା ଥାଉକି, ମଙ୍ଗଳବାର ବିଳମ୍ବିତ ରାତିରେ ଶିଖର ନିଜ ନାତିକୁ ଧରି ଘର ବାହାରକୁ ପରିସ୍ରା କରିବାକୁ ଉଠିଥିଲେ ମାତ୍ର ବାହାରେ ଛକି ବସିଥିଲା ମୃତ୍ୟୁ ।  ଘର କବାଟ ଖୋଲୁ ଖୋଲୁ ଶିଖରଙ୍କୁ ଭିଡ଼ିନେଇ ଗୋଡ଼ରେ ଦଳି ଚକଟି ପକାଇଥିଲା ହାତୀ ।  ନାତିକୁ ଗୋଡ଼ାଇବା ସମୟରେ ନାତି ସୂର୍ଯ୍ୟକାନ୍ତ ଭୟରେ ଘର ଭିତରକୁ ପଶିଯାଇ ଗ୍ରାମବାସୀଙ୍କୁ ଡାକିଥିଲେ । ଗାଁ ଲୋକ ପହଞ୍ଚିବା ବେଳକୁ ଶିଖରଙ୍କ ମୃତ୍ୟୁ ହୋଇସାରିଥିଲା । ଲୋକଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ଫେଲ ମାରିବାକୁ ନେଇ ଘଟଣା ସ୍ଥଳରେ ଚାପା ଉତେଜନା ସୃଷ୍ଟି ହୋଇଥିଲା । ବନବିଭାଗ ଅଧିକାରୀ ପହଂଚି ଲୋକଙ୍କୁ ବୁଝାଇ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ହିନ୍ଦୋଳ ମେଡିକାଲକୁ ପଠାଇଛନ୍ତି ।