ଭାବିଥିଲେ ଏଥର ଗଣେଶ ପୂଜାରେ ଭଲ ଦୁଇ ପଇସା ରୋଜଗାର କରିବେ। ସେଥିପାଇଁ ଦୀର୍ଘ ତିନି ମାସ ପୂର୍ବରୁ ମୂର୍ତ୍ତି ଗଢିବା ପାଇଁ କାରିଗରମାନେ ଜୋରଦାର ପ୍ରସ୍ତୁତି କରିଥିଲେ । ହେଲେ ହାତୀ ଆସି ଉଜାଡି ଦେଲା ମୂର୍ତ୍ତି କାରିଗରଙ୍କ ସ୍ବପ୍ନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଗାଲପଡ଼ା ଗାଁରେ। ସୁନ୍ଦର ସୁନ୍ଦର ମୂର୍ତ୍ତି ଗୁଡ଼ିକ ଭାଙ୍ଗି ରୁଜି ଯାଇଛି । ଦିନ ରାତି ଏକ କରି ମୂର୍ତ୍ତି ଗଢିିବାରେ ଲାଗିଥିଲେ । କିନ୍ତୁ ଗୋଟିଏ ରାତିରେ ହିଁ ଏମିତି ସବୁ ହେଇଗଲା ।
ଗାଲପଡ଼ା ଗାଁର ଶଙ୍କର ନାଏକ ଏବଂ ଚିନ୍ତାମଣି ନାଏକ ଆଜକୁ ପ୍ରାୟ ତିନି ମାସ ହେବ ଦିନରାତି ଏକ କରି ଲାଗି ପଡ଼ିଥିଲେ ମୂର୍ତ୍ତି ଗଢିବା କାମରେ । ଆଉ ମୂର୍ତ୍ତି ପାଇଁ କିଛି ଗ୍ରାହକମାନଙ୍କ ଠାରୁ ଆଡଭାନ୍ସ ମଧ୍ୟ ନେଇଥିଲେ । ହେଲେ ଗତ କାଲି ବିଳମ୍ୱିତ ରାତିରେ ପ୍ରାୟ ୧୫ ରୁ ୨୦ ଟି ହାତୀ ଆସି ଶଙ୍କର ଏବଂ ଚିନ୍ତାମଣିଙ୍କ ମୂର୍ତ୍ତି ସବୁ ଭାଙ୍ଗି ରୁଜି ଚୁର୍ ମାର୍ କରିଦେଇଛନ୍ତି । ଖବର ପାଇ ଉଭୟ ଶଙ୍କର ଏବଂ ଚିନ୍ତାମଣି ସଂଗେ ସଂଗେ ଘଟଣା ସ୍ଥଳକୁ ଆସିଥିଲେ । ହେଲେ ସତେବେଳକୁ ଆଉ କିଛି ବାକି ନଥିଲା । ତେବେ ଗଣେଶ ପୂଜା ଆଉ ମାତ୍ର ୨ ଦିନ ଥିବାବେଳେ ଗ୍ରାହକ ମାନଙ୍କୁ କିପରି ମୂର୍ତ୍ତି ଦେବେ ସଥେିପାଇଁ ଏବେ ଚିନ୍ତାରେ ଉଭୟ ମୂର୍ତ୍ତି କାରିଗର। ଖବର ପାଇ ଗ୍ରାହକମାନେ ଆସିଥିଲେ ଘଟଣା ସ୍ଥଳକୁ ଆଉ ଘଟଣା ଦେଖିବା ପରେ ଗ୍ରାହକ ମାନଙ୍କର ମଧ୍ୟ ଚିନ୍ତା ପଡିଗଲାଣି । ତେବେ ଦିନକୁ ଦିନ ହିନ୍ଦୋଳ ଉପଖଣ୍ଡରେ ବାରମ୍ୱାର ହାତୀ ଉପଦ୍ରବ ବଢୁଥିବା ବେଳେ ବନବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେଉଛି ତାହା ଦେଖିବାକୁ ବାକି ରହିଲା ।