ପୁଣି ଦନ୍ତା ହାତୀର ଉତ୍ପାତ, ରାତି ଅଧରେ ଆସି ଘର ଭାଙ୍ଗିବା ସହ ଖାଇଗଲା ଚାଉଳ

ରାତିରେ ସବୁ ଶୋଇଥିବାବେଳେ ହଠାତ ହାତୀର ଦୁମଦୁମ ଶବ୍ଦ ଶୁଣାଗଲା । ଘର ଲୋକ ଡରିଯାଇ ଚୁପଚାପ ପଲଙ୍କ ତଳକୁ ପଶି ଯାଇଥିଲେ । କିନ୍ତୁ ହାତୀ ସିଧା ଘରକୁ ଭାଙ୍ଗିବାରେ ଲାଗି ପଡ଼ିଲା । ଘରର ଇଟା ସବୁ ପରିବାର ଲୋକଙ୍କ ଉପରେ ପଡ଼ିଗଲା । ହାତୀ ଗଲା ପରେ ବହୁ କଷ୍ଟରେ ପରିବାର ଲୋକଙ୍କୁ ଉଦ୍ଧାର କଲେ ଗ୍ରାମବାସୀ । କିନ୍ତୁ ଏବେ ଏମାନେ ରହିବେ କେଉଁଠି । ଘର କରିବାକୁ କେତେ ଦିନ ସମୟ ଯେ ଲାଗେ ତାହା କହି ହେବନି । ଗରିବ ଗୁରୁବା ଲୋକ ଏମାନେ ପାଖରେ ଅର୍ଥର ଅଭାବ । ଏପରିସ୍ଥିତିରେ ଏମାନେ ଏବେ ବାସହରା ହୋଇପଡ଼ିଛନ୍ତି ।

୩ଟି ଘରକୁ ଦନ୍ତା ହାତୀ ଭାଙ୍ଗି ଦେଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବାବୁନୁଆଗାଁ, ଗୁଡ଼ିଆଳୀ ଅଞ୍ଚଳରେ ବିଳମ୍ବିତ ରାତିରେ ଘଟିଛି ଏମିତି ଅଘଟଣ । ଗୋଟିକିଆ ଦନ୍ତାହାତୀ କିଛିଦିନ ହେଲାଣି ଏହି ଅଞ୍ଚଳର ବିଭିନ୍ନ ଗ୍ରାମରେ ଲୋକଙ୍କ ନିଦ ହଜେଇ ଦେଇଛି । ଗତ କାଲି ବିଳମ୍ବିତ ରାତିରେ ଦନ୍ତା ହାତୀ ଆସି ତିନୋଟି ଘର ଭାଙ୍ଗିଥିବା ବେଳେ ଜୟନ୍ତ ମାଝୀଙ୍କ ଘରକୁ ସମ୍ପୂର୍ଣ୍ଣ ଘର ଭାଙ୍ଗିଦେଇଛି । ଏହି ସମୟରେ ଘର ଭିତରେ ଜୟନ୍ତଙ୍କ ପତ୍ନୀ ଓ ଦୁଇ ଛୁଆ ଶୋଇଥିଲେ । ହାତୀର ଶବ୍ଦ ଶୁଣି ସେମାନେ ସବୁ ପଲଙ୍କ ତଳେ ରହିଗଲେ । କିନ୍ତୁ ହାତୀ ଘର ଭାଙ୍ଗିବା ଦ୍ୱାରା ଇଟା ପଡି ଚାପି ହୋଇ ରହିଯାଇଥିଲେ ପରିବାର । ହାତୀ ଗଲା ପରେ ଗ୍ରାମବାସୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ସେହିଭଳି ହୃଷିକେଶ ପାତ୍ରଙ୍କ ଘର, ପାଚେରୀ ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଇଛି ଦନ୍ତା । ଏବେ ବର୍ଷା ଦିନ ହୋଇଥିବାରୁ ଏମାନଙ୍କୁ ଚିନ୍ତା ଘାରିଲାଣି । ଗାଁ ଲୋକେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ବନବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା କହିଛନ୍ତି ଗାଁ ଲୋକେ । ଅନ୍ୟପଟେ ସ୍ଥାନୀୟ ସରପଞ୍ଚ କହିଛନ୍ତି ଯଦି ହାତୀର କୌଣସି ବ୍ୟବସ୍ଥା କରାନଯାଏ ତେବେ ଖୁବଶୀଘ୍ର ବନଖଣ୍ଡ କାର୍ଯ୍ୟାଳୟ ଘେରାଉ କରାଯିବ ।

ଦିନକୁ ଦିନ ହାତୀଙ୍କ ଉତ୍ପାତ ବଢ଼ିଚାଲିଛି । ହାତୀମାନେ ଜଙ୍ଗଲ ଛାଡ଼ି ଜନବସତିକୁ ମାଡ଼ି ଆସୁଛନ୍ତି । ବେଳେବେଳେ ହାତୀ ସାଧାରଣ ଲୋକଙ୍କୁ ଆକ୍ରମଣ କରିବାରୁ ସେମାନଙ୍କ ଜୀବନ ଯାଉଛି । ଯଦି ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦିଅନ୍ତା, ତେବେ ହୁଏତ ସାଧାରଣ ଲୋକେ ଏସବୁ କ୍ଷତିରୁ ବଞ୍ଚି ଯାଇ ପାରନ୍ତେ ।

 

You might also like