ସାଥି ମାଈ ହାତୀକୁ ହରାଇବା ପରେ ଉଗ୍ରରୂପ ଧାରଣ କରିଛି ଦନ୍ତା, ଚିନ୍ତାରେ ବନ ବିଭାଗ

ଗୁଣୁପୁର: ସାଥୀ..ଦିନେ ମିଣିକି ବୁଲୁଥିଲେ..ମିଶିକି ଖାଉଥିଲେ । ଜଣେ ଜଣଙ୍କ ପାଇଁ ସାହସ ଥିଲେ । ଯୁଆଡେ ଯାଉଥିଲେ ଏକାଠି ଯାଉଥିଲେ । ହେଲେ ଆଜି ମତେ ଛାଡି ଚାଲିଗଲା । ମୋତେ ଏକା କରି କେମିତି ଚାଲୁଗଲୁରେ । ମୁଁ ବଞ୍ଚିପାରୁନି । ପ୍ରତି ମୁହୂର୍ତ୍ତ ତତେ ଝୁରୁଛି…ଆମେ କେଉଁ ମଣିଷର କଥା କହୁନୁ ଏଠି, ଆମେ କରୁଛୁ ଗୋଟେ ହାତୀର କଥା । ନିଜ ସାଥିକୁ ହରାଇ ସେ ଯେମିତି ବାଟବଣା ହୋଇଯାଇଛି, ତା ମୁଣ୍ଡ କାମ କରୁନି । କେମିତି ତା ବିନା ସେ ସାରା ଜୀବନ କାଟିବ? ସେହି ଯନ୍ତ୍ରଣାରେ ସେ ଉଗ୍ର ହୋଇପଡିଛି ।

ସାଥି ମାଈ ହାତୀକୁ ହରାଇବା ପରେ ଉଗ୍ରରୂପ ଧାରଣ କରିଛି ଦନ୍ତା ହାତୀ । ଯାହାକୁ ନେଇ ବନ ବିଭାଗ ଏବେ ଚିନ୍ତାରେ । ଗତକାଲି ଗୁଣୁପୁର ରେଞ୍ଜ ପଦ୍ମପୁର ସେକସେନ ଅନ୍ତର୍ଗତ ଫୁଲପୁଟି ଗ୍ରାମ ନିକଟ ଏକ କପା ବାଡ଼ରେ ଏକ ମାଈ ବିଦ୍ୟୁତ୍ ଆଘାତରେ ଜୀବନ ହାରିଥିଲା । ମାଈ ହାତୀର ମୃତ୍ୟୁ ଘଟିବା ପରେ ସାଥିରେ ଥିବା ଦନ୍ତା ହାତୀ ଏବେ ଉତ୍ୟକ୍ତ ହୋଇପଡିଛି । ଫୁଲପୁଟି ଗ୍ରାମ ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଭାଙ୍ଗିବା ସହ ଏକ ନଳକୂପକୁ ମଧ୍ୟ ନଷ୍ଟ କରିଦେଇଛି ।

ବିଦ୍ୟୁତ ବିଭାଗ ପକ୍ଷରୁ ଗତକାଲି ଠାରୁ ଉକ୍ତ ଅଂଚଳରେ ବିଦ୍ୟୁତ୍ ସରବରାହ ବନ୍ଦ କରି ଦିଆ ଯାଇଛି । ଗତ କିଛି ବର୍ଷ ଧରି ଏହି ବନାଞ୍ଚଳରେ ୬ ଟିକିଆ ହାତୀପଲ ଚଳ ପ୍ରଚଳ କରୁଥିଲେ। ସେଥି ମଧ୍ୟରୁ ୪ଗୋଟି ହାତୀଙ୍କ ଗତ ବର୍ଷ ଆନ୍ଧ୍ର ଓଡ଼ିଶା ସୀମାନ୍ତ କାଟ୍ରାଗାଡ଼ା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସିଯାଇ ମୃତ୍ୟୁ ଘଟିଥିଲା । ସେହି ଛଅ ଟିକିଆ ହାତୀ ପଲରୁ ଦୁଇ ଗୋଟି ହାତୀ ଫେରିଯାଇ ଗୁଣୁପୁର ରେଞ୍ଜ ଫୁଲପୁଟି ବନାଞ୍ଚଳରେ ଚଳ ପ୍ରଚଳ କରୁଥିଲେ ।

ତେବେ ସେହି ୨ଟିକିଆ ହାତୀ ପଲ ମଧ୍ୟରୁ ଗୋଟେ ମାଈ ହାତୀର ଗତ କାଲି ମୃତ୍ୟ ଘଟିଥିଲା । ବନ ବିଭାଗ ଘଟନସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦନ୍ତା ହାତୀର ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି ।

ତେବେ  ପଶୁ ହେଲେ ବି ସେ ଜାଣିଛି ସମ୍ପର୍କର ମୂଲ୍ୟ । ସିଏ ବୁଝିସାରିଛି କି ତା ସାଥୀ ଆଉ କେବେବି ଆସିବନାହିଁ । ତାପରେ ମଣିଷ ଭଳି ତା ପାଟି ବି ଫିଟୁନାହିଁ ଯେ ସେ କାହାକୁ କାନ୍ଦି ନିଜ ଦୁଃଖ, କଷ୍ଟକୁ ବଖାଣିଦବ। ତଥାପି ନିଜ ସାଥିକୁ ନଦେଖି ବ୍ୟସ୍ତ ବିବ୍ରତ ହୋପଡି ଏଭଳି ଉଗ୍ରରୂପ ଧାରଣ କରୁଛି ।

 

You might also like