ଘର ଆଖ ପାଖରେ ବୁଲୁଛି ଗଜରାଜ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଯାଇଛି ଅସନ୍ତୋଷ

ଘର ଆଖ ପାଖରେ କୁକୁର ବିଲେଇ ବୁଲୁଥିବାର ତ ଆପଣମାନେ ନିଶ୍ଚିତ ଜାଣିଥିବେ । କିନ୍ତୁ ଏବେ ଘର ବାହାରେ ହାତୀ ବୁଲୁଛନ୍ତି । ବିରାଟକାୟ ହାତୀ ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମାଡ଼ି ଆସିଛି । ଯଦି ଦନ୍ତା ହାବୁଡ଼ରେ ମଣିଷ ପଡ଼େ ତେବେ ତା ଅବସ୍ଥା ଯେ କଣ ହେବ ନ କହିବା ଭଲ । ଲୋକମାନେ ଘରେ ରହି ନିଜକୁ ନିରାପଦରେ ଅଛନ୍ତି ବୋଲି ଭାବନ୍ତି । କିନ୍ତୁ ଏବେ ଘର ପଛ ପଟେ ହାତୀ ବୁଲୁଛି । ଲୋକମାନେ ନିଜ ଘରେ ରହିବାକୁ ବି ଭୟ କରୁଛନ୍ତି । ଯଦି କେତେବେଳେ ହାତୀ ଘର ଭାଙ୍ଗିଦିଏ ତେବେ ଲୋକଙ୍କ ଜୀବନ ଯିବା ଟା ଥୟ । ସମ୍ବଲପୁର ପଡିଆବାହାଲ ବନାଞ୍ଚଳରେ ବୁଲୁଛନ୍ତି ହାତୀ ପଲ । ୩ ଟି ହାତୀ ଏହି ଅଞ୍ଚଳରେ ବୁଲିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ବନ୍ଧ ରୁ ପାଣି ପିଉଛନ୍ତି । ତେବେ ଏହି ଅଞ୍ଚଳରେ ହେଉଥିବା ପରିବା ଚାଷକୁ ନଷ୍ଟ କରି ଦେଉଛନ୍ତି ଏହି ହାତୀ ପଲ । ସକାଳୁ ରାତି ଯାଏ ଜଙ୍ଗଲ ଛାଡ଼ି ଜନବସତିରେ ବୁଲୁଛନ୍ତି l
ଏନେଇ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆସୁନାହାନ୍ତି । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବାରମ୍ବାର ହାତୀ ଜନବସତି ଅଞ୍ଚଳକୁ ଆସି କେତେବେଳେ ଧାନ ନଷ୍ଟ କରୁଛି ତ କେତେବେଳେ ପରିବା ଚାଷକୁ ନଷ୍ଟ କରୁଛି ଆଉ କେତେବେଳେ କଦଳୀ ଚାଷକୁ ନଷ୍ଟ କରୁଛନ୍ତି ଏ ହାତୀ ପଲ । ଲୋକଙ୍କ ଘର ଚାରିପଟେ ବୁଲୁଛନ୍ତି । ଲୋକମାନେ ନିଜ ଘରେ ବି ସୁରକ୍ଷିତ ନାହାନ୍ତି । ଏନେଇ ବନବିଭାଗକୁ ବାରମ୍ବାର ଖବର ଦିଆଯାଉଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଇନି । ଫଳରେ ଗ୍ରାମବାସୀମାନେ ଚିନ୍ତାରେ ଅଛନ୍ତି ।
ତେବେ ହାତୀ ହେଉ କି ଭାଲୁ । ଅନେକ ସମୟରେ ଏହି ବନ୍ୟ ଜୀବମାନେ ଜଙ୍ଗଲ ଛାଡ଼ି ଗାଁ ଓ ସହର ମୁହାଁ ହେଉଛନ୍ତି । ଏହାର କାରଣ ବି ଖୋଦ ମଣିଷ । ଆମେ ଏଭଳି କହିବା ପଛର କାରଣ ହେଉଛି ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି । ଲୋକସଂଖ୍ୟା ବଢ଼ୁଥିବାରୁ ଜଙ୍ଗଲ କାଟି ସଫା କରୁଛି ମଣିଷ । ଫଳରେ ଏ ଜୀବମାନେ ଖାଇବାକୁ ଖାଦ୍ୟ ପାଉ ନାହାନ୍ତି । ଆଉ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ଖାଦ୍ୟ ଅନେ୍ଵଷଣରେ ବାହାରି ପଡ଼ୁଛନ୍ତି । ବେଳେବେଲେ ଏହି ଜୀବଜନ୍ତୁମାନେ ମଣିଷକୁ ଆକ୍ରମଣ କରନ୍ତି । ଯାହା ଫଳରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଖବର ଉପରେ ମଧ୍ୟ ନଜିର ରହିଛି । ଯଦି ଆମେ ଜଙ୍ଗଲ କାଟି ସଫା ନକରିବା ହୁଏତ ଏ ଜୀବଜନ୍ତୁ ମାନେ ଜଙ୍ଗଲ ଛାଡ଼ି ଜନବସତିକୁ ଆସିବେ ନାହିଁ କି କୌଣସି ପ୍ରକାରର କ୍ଷତି ହେବ ନାହିଁ ।