ରାଜ୍ୟରେ ହାତୀ ଆତଙ୍କ !

ଭୁବନେଶ୍ବର : ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୀନା ସିଂହ। କଟକ ଜିଲ୍ଲା ଟାଙ୍ଗୀ ଥାନା ଚାରିଘରିଆର ପାଞ୍ଚଭାୟା ପାହାଡ ନିକଟରେ ମୀନାଙ୍କୁ ଆକ୍ରମଣ କରିଥିଲା ଦନ୍ତା। ସେ ଛେଳି ଚରାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଖୋଜାଖୋଜି କରିବା ପରେ ଆଜି ସକାଳେ ପାହାଡ ତଳୁ ମୀନାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଉତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ହାତୀ ପଲକୁ ତୁରନ୍ତ ଘଉଡାଇବାକୁ ଦାବି କରିଛନ୍ତି। ମୃତଦେହ ଧରି ରାସ୍ତା ଉପରେ ବସିରହିଛନ୍ତି।

ସେପଟେ କେନ୍ଦୁଝର ଜିଲ୍ଲାରେ ପୁଣି ହାତୀ ଆତଙ୍କ । ଚମ୍ପୁଆ ବନାଞ୍ଚଳରେ ଘୁରି ବୁଲୁଛନ୍ତି ହାତୀପଲ। ଏଥିରେ ଛୋଟବଡ ୨୩ଟି ହାତୀ ଅଛନ୍ତି। ଏହି ହାତୀ ପଲରୁ ଗୋଟେ ହାତୀ ଅଲଗା ହୋଇ ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି। ଗତକାଲି ରାତିରେ ହାତୀଟି କସିରାଗାଁର ରବି ମୁଣ୍ଡାଙ୍କ ଘର ଭାଙ୍ଗ ଦେଇଥିଲା। ଫଳରେ କାନ୍ଥପଡି ଘର ଭିତରେ ଥିବା ଜଣେ ମହିଳାଙ୍କ ଗୋଡ ଭାଙ୍ଗିଯାଇଛି। ସେହିପରି ରଜିଆ ବରବରିଆ ଗାଁରେ ୪ଟି ଘର ଟୁଣୁଟୁଣାରେ ଗୋଟିଏ ଘର ଭାଙ୍ଗିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ହାତୀକୁ ଘଉଡାଇବା ପାଇଁ ବନ ବିଭାଗର ଉଦ୍ୟମ ଜାରି ରହିଛି ।

You might also like