ଭଞ୍ଜନଗର: ଗଛ ଉପରେ ମଣିଷ, ତଳେ ପଲ ପଲ ବଣୁଆ ହାତୀ । ଧାନ କ୍ଷେତରେ ହାତୀପଲ ପଶି ଧାନ ଫସଲ ଖାଇ ଦେଉଥିବାରୁ, କିଏ ଗଛର ମଞ୍ଚା ଉପରେ ରହି “ଯା ମାହାପୁରୁ ଯା” ବୋଲି ଚିତ୍କାର କରୁଛି । ମାହାପୁରୁ ଅର୍ଥାତ୍ ଗଜରାଜ । ଯାହାଙ୍କୁ ଏଠାକାର ଲୋକେ ସମ୍ବୋଧନ କରୁଛନ୍ତି ମାହାପୁରୁ । ସେପଟେ କିଏ ବାଣ ଫୁଟାଇ ଘଉଡାଉଛି ତ’, କିଏ ରାସ୍ତା କଡ଼ରେ ରହି ହୋ ହଲ୍ଲା କରୁଛି । ଏହା ଥିଲା ସନ୍ଧ୍ୟାରୁ ରାତି ପାହିବା ପର୍ଯ୍ୟନ୍ତ ଦୃଶ୍ୟ ।
ସେହିଭଳି ଦିନ ତମାମର ବିକଳ ଦୃଶ୍ୟ ବି, କିଛି କମ୍ ନୁହେଁ । କ୍ଷେତରେ ଫଳିଥିବା କଞ୍ଚା ଧାନ ଫସଲକୁ ମଧ୍ୟ ପ୍ରାଣ ବିକଳରେ ମେସିନ୍ ଲଗାଇ ଅମଳ କରୁଛି ଚାଷୀ । ପ୍ରତିକୂଳ ପାଣିପାଗ ଏବଂ ଜମିକୁ ପାଣିର ଅଭାବ ସତ୍ୱେ, ବହୁ କଷ୍ଟରେ ଧାନ ଚାଷ କରିଥିଲେ ଚାଷୀକୁଳ । ହେଲେ ଅମଳ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ, ବଣୁଆ ହାତୀ ପଲ ଆସି ଧାନ କ୍ଷେତରେ ପଶୁଛନ୍ତି । ଯେତିକି ଖାଉଛନ୍ତି, ତା’ଠୁ ଅଧିକ ଦଳି ମକଚି ନଷ୍ଟ କରୁଛନ୍ତି । ଆଉ ଏ ହେଉଛି ତାହାର ଦୃଶ୍ୟ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ମୁଜାଗଡ, କୁଟୁଣୀକୁମ୍ପା, ରମ୍ଭାପଲ୍ଲୀ ସମେତ ଆଖପାଖ ଗାଁ ଗଣ୍ଡାରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି ।
ଗତ ପ୍ରାୟ ସପ୍ତାହେ ହେଲା ଉପଦ୍ରବ ଚଳାଇଛନ୍ତି ଏହି ବାଣୁଆ ହାତୀପଲ । ପ୍ରତିଦିନ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଆସି ଧାନ କ୍ଷେତରେ ପଶୁଛନ୍ତି । ଫସଲ ଖାଇବା ପରେ, ଭୋର ସମୟରେ ପୁଣି ଜଙ୍ଗଲକୁ ଫେରି ଯାଉଛନ୍ତି । କେଉଁଠି, ସ୍ଥାନୀୟ ଚାଷୀ ଏବଂ ଗ୍ରାମବାସୀଙ୍କ ସହଯୋଗରେ ବନ କର୍ମଚାରୀ ମାନେ ବାଣ ଫୁଟାଇ ହୋହଲ୍ଲା କରି ହାତୀ ଘଉଡାଉଛନ୍ତି ତ ଆଉ କେଉଁଠି ହାତୀପଲକୁ ଘଉଡାଇବା ପାଇଁ ନିଜେ ଚାଷୀ ଗଛରେ ମଞ୍ଚା ବାନ୍ଧି ଜଗି ରହୁଛନ୍ତି ।
ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ରହିଛନ୍ତି ୭୩ ଟି ହାତୀ । ସେମାନେ ୪ଟି ଦଳ ହୋଇ ବିଭିନ୍ନ ଜଙ୍ଗଲକୁ ଘୁରି ବୁଲୁଛନ୍ତି । ସେଥିରୁ ଗୋଟାଏ ଦନ୍ତାହାତୀ ଏକା ଏକା ବୁଲୁଛି । ସେହିଭଳି ଏହି ବନଖଣ୍ଡର ମୁଜାଗଡ ବନାଞ୍ଚଳରେ ଦୁଇ ଦଳ ହୋଇ ରହିଛନ୍ତି ୩୮ଟି ହାତୀ । ଗୋଟିଏ ଦଳରେ ରହିଥିବା ୧୪ଟି ହାତୀ ଜଙ୍ଗଲ ଭିତରେ ହିଁ ଘୁରି ବୁଲୁଛନ୍ତି । ଅନ୍ୟ ଦଳର ୨୪ ଟି ହାତୀ ଗାଁ ପାଖକୁ ମାଡି ଆସୁଛନ୍ତି । ଧାନକ୍ଷତରେ ପଶି ବ୍ୟାପକ ଧାନଫସଲ ନଷ୍ଟ କରୁଛନ୍ତି ।
ବର୍ଷ ତମାମ୍ ପରିଶ୍ରମ କରି, ଦାନା ପାଣି ଯୋଗାଡ କରିବାକୁ ବହୁ ଆଶା କରିଥିଲେ ଚାଷୀ । ହେଲେ ଅମଳ ସମୟରେ ହାତୀ ମୁହଁରେ ବର୍ଷକର ପରିଶ୍ରମ ନଷ୍ଟ ହୋଇଯାଉଥିବାରୁ ଏବେ ଭାଙ୍ଗି ପଡିଛନ୍ତି ଚାଷୀ । ଅବଶ୍ୟ ବନବିଭାଗ କ୍ଷତି ପୂରଣ ଦେବାକୁ କହୁଛି ଏବଂ ଦେଉଛି ମଧ୍ୟ । କିନ୍ତୁ ଚାଷୀଙ୍କ ପରିଶ୍ରମ ଏବଂ ଚାଷ ପ୍ରତି ରହିଥିବା ମନୋବଳ ପାଖରେ, ଫିକା ପଡିଯାଉଛି ଫସଲ କ୍ଷତିପୂରଣ ଜନିତ ସହାୟତା । ଯଦି ଏବେଠାରୁ ବନବିଭାଗ ଏନେଇ ପ୍ରତିକାର ବ୍ୟବସ୍ଥା ନକରେ, ତାହେଲେ ଆସନ୍ତା ଦିନରେ ଚାଷକାର୍ଯ୍ୟ ଠାରୁ ଚାଷୀ ମାନେ ଧିରେ ଧିରେ ଦୂରେଇ ଯିବେ, ଏଥିରେ ସନ୍ଦେହ ନାହିଁ ।