ସହର ଭିତରେ ବୁଲୁଛି ହାତୀ, ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ବଣାଇ: ସହର ଭିତରେ ହାତୀ । ସୁନ୍ଦରଗଡ ଜିଲ୍ଲା ବଣାଇରେ ବୁଲୁଛି ଗୋଠ ଛଡା ହାତୀ । କେତେବେଳେ ରାସ୍ତାରେ ବୁଲୁଛି ତ କେତେବେଳେ ଗାଁରେ ପଶି ଫସଲ ନଷ୍ଟ କରୁଛି । ଜଙ୍ଗଲରୁ ସହର ମଧ୍ୟକୁ ପଶିଆସିଛି । ଖବର ପାଇ ବନବିଭାଗ ଅଧିକାରୀ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ।

ଖବର ଅନୁଯାୟୀ, ଗତ କିଛି ଦିନ ହେବ ବଣାଇ ଅଞ୍ଚଳରେ ଗୋଟେ ହାତୀ ଉତ୍ପାତ କରୁଥିବା ବେଳେ ଆଜି ହାତୀଟି ବଣାଇ ସହରର ମୁଖ୍ୟ ରାସ୍ତାକୁ ଚାଲିଆସିଛି । ଲୋକଙ୍କୁ ଆକ୍ରମଣ କରିବାକୁ ହାତୀଟି ଗୋଡାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଭୟରେ ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡିଛି । ହାତୀଟି ସହରକୁ ପଶି ଆସି ବିଭିନ୍ନ କଲୋନୀରେ ବୁଲୁଥିବାର ଚିତ୍ର ସାମ୍ନାକୁ ଆସିଛି । ଆଜି ସକାଳେ ସ୍ଥାନୀୟ ଲୋକେ ସହର ଭିତରେ ହାତୀ ବୁଲୁଥିବାର ଦେଖି ଭୟଭୀତ ହୋଇପଡିଛନ୍ତି ।