ପୁଣି ଜୀବନ ନେଲା ଦନ୍ତା, ଶୋଇଥିବା ବେଳେ ଘରୁ ଟାଣି ନେଇ ମହିଳାଙ୍କୁ କଚାଡ଼ି ମାରିଲା

ମୟୂରଭଞ୍ଜ : ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା । ଶୋଇଥିବା ବେଳେ ଘରୁ ଟାଣି ନେଇ ମହିଳାଙ୍କୁ କଚାଡ଼ି ମାରିଲା ନରହନ୍ତା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବାରିପଦା ରେଞ୍ଜ ଅଧିନ ରାଧିକାଶୋଳ ଗାଁର ଘଟଣା । ମୃତ ମହିଳା ହେଲେ ମାନକା ହାଁସଦା । ବାରିପଦା ରେଞ୍ଜରେ କିଛି ଦିନ ହେବ ହାତୀ ଉପଦ୍ରବ ଜାରି ରହିଛି । ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଭୋର ୩ ଟା ବେଳକୁ ରାଧିକାଶୋଳ ଗାଁରେ ପଶିଥିଲା ଏକ ନରହନ୍ତା ଦନ୍ତା l ଗାଁର ୩, ୪ ଟି ଘର ଭାଙ୍ଗିବା ସହ ଘର ଭିତରେ ଶୋଇଥିବା ମାନକାଙ୍କୁ ଘୋଷଡ଼ି ଆଣି ଅଗଣାରେ କଚାଡ଼ି ଦଳି ଦେଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ ମାନକାଙ୍କ ସ୍ବାମୀ ସୀତାରାମ ହାଁସଦା ।

ଏହାପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି l ତେବେ ବାରମ୍ବାର ବନବିଭାଗର ଅବହେଳା ଏବଂ ଅପାରଗତା ପାଇଁ ହାତୀ ଜନବସତିରେ ପଶି ଧନଜୀବନ ହାନି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ବିଗତ ଦିନରେ ନରହନ୍ତା ଦନ୍ତା ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି ।

ଅନ୍ୟପଟେ ଗାଁକୁ ବଣୁଆହାତୀ ଅନୁପ୍ରବେଶ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଘରୁ ନବାହାରିବାକୁ ଡକାବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ଗ୍ରାମବାସୀଙ୍କୁ ସତର୍କ କରାଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like