ଯାଜପୁର ଧର୍ମଶାଳା ଅଞ୍ଚଳରେ ଆତଙ୍କ ଖେଳାଇଲା ଜଙ୍ଗଲୀ ହାତୀ, ଘଉଡ଼ାଇବାକୁ ନାକେଦମ ବନ ବିଭାଗ

ଯାଜପୁର: ଗାଁରେ ପଶିଲା ଜଙ୍ଗଲୀ ହାତୀ । ହାତୀକୁ ଦେଖି ଲୋକେ ଆତଙ୍କିତ । କେବଳ ଗାଁ ଭିତରେ ନୁହେଁ ବଜାରରେ ଖେଳାଇଲା ଆତଙ୍କ । ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ଧର୍ମଶାଳା ଓ ଜାରକା ବଜାର ଅଞ୍ଚଳରେ । ଗତକାଲି ରାତିରେ ହାତୀଟି ଯାଜପୁର ଟାଉନ ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିବା ବେଳେ ଆଜି ସକାଳୁ କୁଆଖିଆ ଅଞ୍ଚଳ ଦେଇ ବ୍ରାହ୍ମଣୀ ନଦୀ ପାର ହୋଇ ଧର୍ମଶାଳା ଅଞ୍ଚଳକୁ ପଶି ଆସିଥିଲା । ବଣୁଆ ହାତୀକୁ ଦେଖିବା ପାଇଁ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । କିଛି ସମୟ ପାଇଁ ହାତୀଟି ୧୬ନଂ ଜାତୀୟ ରାଜପଥ ଉପରକୁ ଚାଲି ଆସିବାରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଏହି ସମୟରେ ହାତୀଟି କେତୋଟି ବାଇକକୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା ।
ଲୋକଙ୍କ ଭିଡ଼ ଦେଖି ହାତୀଟି କୁମାରୀ ପାଟ ଦେଇ ଜାରକା ବଜାର ଭିତରକୁ ପଶି ଆସିଥିଲା । ଫଳରେ ଜନ ଗହଳି ପୂର୍ଣ୍ଣ ବଜାରରେ ହାତୀଟି ପଶି ଯିବାରୁ ଲୋକେ କିଏ କୁଆଡେ ଦୌଡ଼ିବାକୁ ଲାଗିଥିଲେ । ଲୋକଙ୍କ ଭିଡ଼ ସହ ହାତୀକୁ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ଓ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଫଳରେ ବାଧ୍ୟ ହୋଇ ମାଇକ ପ୍ରଚାର କରି ଲୋକଙ୍କୁ ସତର୍କ କରାଇଥିଲା । ଏଥିସହ ହାତୀଟିକୁ ବଜାରରୁ ବାହାର କରିବା ପାଇଁ ବାଣ ଫୁଟାଇଥିଲା। ଏହି ସମୟରେ ହାତୀଟି ଶାନ୍ତି ବଜାର ମୁହାଁ ହୋଇ ସେଠାରେ ଜଣଙ୍କର ପାଚେରୀ ଭାଙ୍ଗିବା ସହ ଗଛ ପତ୍ର ନଷ୍ଟ କରିଥିଲା। ଏପଟେ ହାତୀଟି ଶାନ୍ତ ସ୍ଵଭାବର ସହ ହିଂସ୍ର ନଥିବାରୁ କୌଣସି ଲୋକଙ୍କର କ୍ଷତି କରିନାହିଁ। କେଉଁଝର ପଟୁ ହାତୀଟି ଚାଲି ଆସିଥିବା ବେଳେ ତାକୁ ଘଉଡାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା କହିଛନ୍ତି ବୈରୀ ବନ ବିଭାଗ ରେଞ୍ଜର।
Also Read:ଜାପାନର ପ୍ରସିଦ୍ଧ ଛାଡ଼ପତ୍ର ମନ୍ଦିର, ଯାହାର ଇତିହାସ ପ୍ରାୟ ୭୦୦ ବର୍ଷ ପୁରୁଣା