ଏକ ବିରାଟକାୟ ହାତୀ ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମାଡ଼ି ଆସିଛି । ଯଦି ଏ ଦନ୍ତା ହାବୁଡ଼ରେ ମଣିଷ ପଡ଼େ ତେବେ ତା ଅବସ୍ଥା ଯେ କଣ ହେବ ନ କହିବା ଭଲ । ଲୋକମାନେ ଘରେ ରହି ନିଜକୁ ନିରାପଦରେ ଅଛନ୍ତି ବୋଲି ଭାବନ୍ତି । କିନ୍ତୁ ଏଠି ଘର ପଛ ପଟେ ହାତୀ ବୁଲୁଛି । ଲୋକମାନେ ନିଜ ଘରେ ରହିବାକୁ ବି ଭୟ କରୁଛନ୍ତି । ଯଦି କେତେବେଳେ ହାତୀ ଘର ଭାଙ୍ଗିଦିଏ ତେବେ ଲୋକଙ୍କ ଜୀବନ ଯିବା ଟା ଥୟ । ପ୍ରତିଦିନ କେଉଁଠି ନା କେଉଁଠି ତାଣ୍ଡବ ରଚୁଛି ହାତୀ । ସେହିଭଳି ଆଜି ଏହି ହାତୀ ଔପଦା ବ୍ଲକ ଢୋଲପୁର ଗ୍ରାମରେ ବହୁ କ୍ଷୟକ୍ଷତି ରଚିଥିବା ଦେଖିବାକୁ ମିଳିଛି ।
ନୀଳଗିରି ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ । ନିକଟ ଜଙ୍ଗଲରୁ ଭୋର ସମୟରେ ହାତୀ ଗାଁ ମୁହାଁ ହେବା ସହ ସକାଳୁ ଗ୍ରାମର ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିଥିଲା । ସକାଳୁ ରାତି ଯାଏ ଜଙ୍ଗଲ ଛାଡ଼ି ଜନବସତିରେ ବୁଲୁଛନ୍ତି ହାତୀ ଯାହା ଏବେ ଗ୍ରାମବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦିନକୁ ଦିନ ବଢ଼ିଚାଲିଛି ହାତୀଙ୍କ ଉତ୍ପାତ । ହାତୀମାନେ ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ବେଳେବେଳେ ହାତୀ ସାଧାରଣ ଲୋକଙ୍କୁ ଆକ୍ରମଣ କରିବାରୁ ସେମାନଙ୍କ ଜୀବନ ମଧ୍ୟ ଯାଉଛି ।
ବାରମ୍ବାର ହାତୀ ଜନବସତି ଅଞ୍ଚଳକୁ ଆସି କେତେବେଳେ ଧାନ ନଷ୍ଟ କରୁଛି ତ କେତେବେଳେ ପରିବା ଚାଷକୁ ନଷ୍ଟ କରୁଛି । ଲୋକଙ୍କ ଘର ଚାରିପଟେ ବୁଲି ଅନେକ କ୍ଷୟକ୍ଷତି ମଧ୍ୟ କରୁଛି । ଏଠାରେ ଲୋକମାନେ ନିଜ ଘରେ ବି ସୁରକ୍ଷିତ ନାହାନ୍ତି । ତେବେ ଏହି ହାତୀକୁ ଜଙ୍ଗଲକୁ ଘୋଉଡାଇବାକୁ ବନବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ତେବେ ଦର୍ଶକବନ୍ଧୁ ହାତୀ ହେଉ କି ଭାଲୁ । ଅନେକ ସମୟରେ ଏହି ବନ୍ୟ ଜୀବମାନେ ଜଙ୍ଗଲ ଛାଡ଼ି ଗାଁ ଓ ସହର ମୁହାଁ ହେଉଛନ୍ତି । ଏଭଳି ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି ।
ଏହାର କାରଣ ବି ଖୋଦ ମଣିଷ । ଆମେ ଏଭଳି କହିବା ପଛର କାରଣ ହେଉଛି ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି । ଲୋକସଂଖ୍ୟା ବଢ଼ୁଥିବାରୁ ଜଙ୍ଗଲ କାଟି ସଫା କରୁଛି ମଣିଷ । ଫଳରେ ଏ ଜୀବମାନେ ଖାଇବାକୁ ଖାଦ୍ୟ ପାଉ ନାହାନ୍ତି । ଆଉ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ଖାଦ୍ୟ ଅନ୍ଵେଷଣରେ ବାହାରି ପଡ଼ୁଛନ୍ତି । ବେଳେବେଳେ ଏହି ଜୀବଜନ୍ତୁମାନେ ମଣିଷକୁ ଆକ୍ରମଣ କରନ୍ତି । ଯାହା ଫଳରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଖବର ଉପରେ ମଧ୍ୟ ନଜିର ରହିଛି । ଯଦି ଆମେ ଜଙ୍ଗଲ କାଟି ସଫା ନକରିବା ହୁଏତ ଏ ଜୀବଜନ୍ତୁ ମାନେ ଜଙ୍ଗଲ ଛାଡ଼ି ଜନବସତିକୁ ଆସିବେ ନାହିଁ କି ଏଭଳି କୌଣସି ପ୍ରକାରର କ୍ଷତି ହେବ ନାହିଁ ।