ବଣାଇରେ ଟ୍ରାଙ୍କୁଲାଇଜ ହେଲା ଦନ୍ତା, ସୁବର୍ଣ୍ଣପୁରରେ ୮ ଘଣ୍ଟା ପରେ ଉଦ୍ଧାର ହେଲା ହାତୀ

ବଣାଇ/ ସୁବର୍ଣ୍ଣପୁର: ପାଣି ପିଇବାକୁ ଆସି ଫସିଗଲା ହାତୀ । ଦୀର୍ଘ ୮ ଘଣ୍ଟା ପରେ ହେଲା ଉଦ୍ଧାର । ନିଜେ କେନାଲରୁ ବାହାରି ଜଙ୍ଗଲକୁ ପଳାଇଲା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ପାଣି କ୍ଷୀରପୁର ଆଦିଆ ନିକଟରେ ଗତକାଲି ରାତିରେ ହାତୀଟି ପାଣି ପିଇବାକୁ ଆସି କେନାଲରେ ଫସି ଯାଇଥିଲା । ଆଜି ସକାଳେ ଗାଁଲୋକେ ହାତୀକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ସମୟ ପରେ ହାତୀଟି ନିଜେ ନିଜେ କେନାଲରୁ ବାହାରି ଆସି ଜଙ୍ଗଲ ଭିତରକୁ ପଳାଇଥିଲା । ହାତୀଟି ଉଲୁଣ୍ଡା ରେଞ୍ଜର ଜଙ୍ଗଲରେ ରହିଥିବାରୁ ଏବେବି ଲୋକଙ୍କ ମନରେ ଭୟ ରହିଛି ।

ସେହିପରି ବଣାଇରେ ଟ୍ରାଙ୍କୁଲାଇଜ ହେଲା ଗୋଠଛଡ଼ା ଦନ୍ତା । ବଣାଇ ରେଞ୍ଜ ଧରଣୀଧରପାଲି ଜଙ୍ଗଲରେ ହାତୀକୁ କାବୁ କଲା ବନ ବିଭାଗ ।  ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜର ୬ଟି ପଞ୍ଚାୟତରେ ଗୋଠଛଡ଼ା ଦନ୍ତା ଉତ୍ପାତ କରୁଥିଲା । ଲୋକଙ୍କ ଘର ଦ୍ବାର ଭାଙ୍ଗି ଦେବା ସହ ଫସଲ ନଷ୍ଟ କରୁଥିଲା । ଗୋଠଛଡ଼ା ଦନ୍ତା ଯୋଗୁଁ ଅତିଷ୍ଠ ହୋଇ ପଡ଼ିଥିଲେ ଗ୍ରାମବାସୀ । ଏନେଇ ବହୁବାର ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି । ବହୁ ଦିନ ପରେ ଗତକାଲି ବିଳମ୍ବିତ ରାତିରେ ବନବିଭାଗ ଏକ ଟିମ୍ ଗଠନ କରି ଗୋଠଛଡ଼ା ଦନ୍ତାକୁ ଟ୍ରାଙ୍କୁଲାଇଜ କରିଛି । ଟ୍ରାଙ୍କୁଲାଇଜ ପରେ ହାତୀ ଦେହରେ ରେଡିଓକଲାର୍ ମେସିନ୍ ଲଗାଯାଇଛି ।  ଏହାଦ୍ବାରା ହାତୀର ଗତିବିଧି ଉପରେ ନଜର ରଖାଯାଇପାରିବ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like