ଚାଷୀଙ୍କର ଅନେକ କ୍ଷୟକ୍ଷତି କରୁଛନ୍ତି ହାତୀପଲ, ଚିନ୍ତାରେ ଗାଁ ଲୋକେ
ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହାତୀପଲ । ଜନବସତି ଆଡ଼କୁ ମାଡି ଆସୁଛନ୍ତି ୧୩ ଟିକିଆ ହାତୀପଲ । ମୁରିବାହଲ ରେଞ୍ଜ ବାରବନ୍ଧ ଗାଁରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ବିଳମ୍ବିତ ରାତିରେ ୧୩ ଟିକିଆ ହାତୀପଲ ବାରବନ୍ଧ ଗାଁକୁ ଆସି ଚାଷୀଙ୍କର ଅନେକ କ୍ଷୟକ୍ଷତି କରିଛନ୍ତି । ଗାଁର ଚାଷୀ ସୁମନ ନାଏକଙ୍କ ଘର ଭାଙ୍ଗିବା ସହ ପନିପରିବା ଚାଷ ଧାନ ଖାଇ ଯାଇଛନ୍ତି । ତେବେ ହାତୀପଲ ଚାଷ ଜମିକୁ ମାଡି ନଷ୍ଟ କରିବା ପରେ ଚାଷ ଜମି ପାଖ ଖଳାରେ ଅମଳ କରି ରଖା ଯାଇଥିବା ୨୨ ବସ୍ତା ଧାନକୁ ମଧ୍ୟ ଏହି ହାତୀପଲ ଖାଇ ଦେଇଛନ୍ତି । ତେବେ ଚାଷୀଙ୍କ ଜମିରେ ଲାଗିଥିବା ସୋଲାର ପ୍ଲେଟ ଭାଙ୍ଗି ଦେଇ ନଳକୂପକୁ ମଧ୍ୟ ଉପାଡି ଦେଇଛି ହାତୀ । ଏହାକୁ ନେଇ ମୁରିବାହଲ ରେଞ୍ଜର ବନ କର୍ମଚାରୀ ହାତୀକୁ ଘଉଡ଼ାଇ ଜଙ୍ଗଲ ମୁହାଁ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏବେ ହାତୀପଲ ଜଙ୍ଗଲ ପଟେ ଥିବା ବେଳେ ରାତି ହେଲେ ଗାଁରେ ପଶି କ୍ଷୟକ୍ଷତି କରୁଛି । ଏନେଇ ଗ୍ରାମବାସୀ ଭୟଭୀତ ଅଛନ୍ତି ।
ଉଜୁଡ଼ୁଛି ବନ୍ୟଜନ୍ତୁଙ୍କ ଆବାସ । ତେଣୁ ଜନବସତି ମୁହାଁ ହେଉଛନ୍ତି ହାତୀ । କେଉଁଠି ରାଜରାସ୍ତାରେ ତ କେଉଁଠି ବଜାର ଭିତରେ ବୁଲୁଛି ହାତୀ । ତେବେ ହାତୀ ହେଉ କି ଭାଲୁ । ଅନେକ ସମୟରେ ଏହି ବନ୍ୟ ଜୀବମାନେ ଜଙ୍ଗଲ ଛାଡ଼ି ଗାଁ ଓ ସହର ମୁହାଁ ହେଉଛନ୍ତି । ଏଭଳି ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏହାର କାରଣ ବି ଖୋଦ ମଣିଷ । ଆମେ ଏଭଳି କହିବା ପଛର କାରଣ ହେଉଛି ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି । ଲୋକସଂଖ୍ୟା ବଢ଼ୁଥିବାରୁ ଜଙ୍ଗଲ କାଟି ସଫା କରୁଛି ମଣିଷ ।
ଫଳରେ ଏ ଜୀବମାନେ ଖାଇବାକୁ ଖାଦ୍ୟ ପାଉ ନାହାନ୍ତି । ଆଉ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ଖାଦ୍ୟ ଅନ୍ଵେଷଣରେ ବାହାରି ପଡ଼ୁଛନ୍ତି । ବେଳେବେଳେ ଏହି ଜୀବଜନ୍ତୁମାନେ ମଣିଷକୁ ଆକ୍ରମଣ କରନ୍ତି । ଯାହା ଫଳରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଖବର ଉପରେ ମଧ୍ୟ ନଜିର ରହିଛି । ଯଦି ଆମେ ଜଙ୍ଗଲ କାଟି ସଫା ନକରିବା ହୁଏତ ଏ ଜୀବଜନ୍ତୁ ମାନେ ଜଙ୍ଗଲ ଛାଡ଼ି ଜନବସତିକୁ ଆସିବେ ନାହିଁ କି ଏଭଳି କୌଣସି ପ୍ରକାରର କ୍ଷତି ହେବ ନାହିଁ ।