ଶହ ଶହ ଏକର ଫସଲ ନଷ୍ଟ କରୁଛନ୍ତି ହାତୀ ପଲ, ଚିନ୍ତାରେ ଚାଷୀ
ଥମୁନି ହାତୀଙ୍କ ଉପଦ୍ରବ । ହାତୀ ପଲ ପାଇଁ ୧୦୦ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ଆତଙ୍କ । ଗୋଟେ କି ଦୁଇଟି ନୁହେଁ ୪୫ଟି ହାତୀ ଜଙ୍ଗଲ ଛାଡ଼ି ଆସି ଜନବସତିରେ ପଶିଛନ୍ତି । ଆଉ ନଷ୍ଟ କରୁଛନ୍ତି ଶହ ଶହ ଏକର ଫସଲ ସହ ଘର । ଆଜି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ୪୫ ଟି ହାତୀଙ୍କ ଉପଦ୍ରବ ଜାରି ରହିଛି । ତେବେ ବନ ବିଭାଗ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଚିନ୍ତା ବଢ଼ାଇଛନ୍ତି ଡୁମୁରିଆ ଗାଁ ନିକଟରେ ଥିବା ୨୬ ଟିକିଆ ହାତୀପଲ ।
ଦିନ ବେଳେ ଜଙ୍ଗଲରେ ରହୁଛନ୍ତି କିନ୍ତୁ ସନ୍ଧ୍ୟା ହେଲେ ଗାଁ ଅଭିମୁଖେ ଆସିବା ସହିତ ଧାନ ବିଲରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ମନୁଷ୍ୟକୁ ସୁରକ୍ଷା ଦେବା ଏବେ ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଚ ପାଲଟିଛି । ହାତୀ ଏବଂ ମନୁଷ୍ୟ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ହାତୀ ଥିବା ଜଙ୍ଗଲ ନିକଟକୁ ନଯିବାକୁ ବାରଣ କରିଛି ବନ ବିଭାଗ ।
ବର୍ତମାନ ଧାନ ଅମଳର ସମୟ । ଆଉ ଏ ହାତୀ ବିଲରେ ପଶି ମନ ଇଚ୍ଛା ଫସଲ ଖାଉଛନ୍ତି । ଯେତକ ଖାଉ ନାହାନ୍ତି ତା ଠରୁ ଅଧିକ ନଷ୍ଟ କରୁଛନ୍ତି । ଏନେଇ ଚାଷୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ବିଲରେ ଯଦି ହାତୀମାନେ ପଶନ୍ତି ଧାନ ଗଛକୁ ଦଳିଚକଟି ନଷ୍ଟ କରିଦେବେ । ଚାଷୀମାନେ ନିଜ ଫସଲକୁ କେମିତି ସୁରକ୍ଷା ଦେବେ ସେନେଇ ଚିନ୍ତାରେ ଅଛନ୍ତି । ହାତୀ ଭୟରେ ରାତି ଅନିଦ୍ରା ରହୁଛନ୍ତି ଗ୍ରାମବାସୀ । ଗାଁରୁ ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।