ଥମୁନି ହାତୀଙ୍କ ଉତ୍ପାତ, ଫସଲ ନଷ୍ଟ କରୁଛନ୍ତି ୧୮ ଟିକିଆ ହାତୀପଲ

ବେଗୁନିଆ: ଏକର ଏକର ପନିପରିବା ଫସଲ ଖାଇଲେ, ଦଳିଲେ ଆଉ ଭାଙ୍ଗିଲେ ଘର । ବେଗୁନିଆ ଅଞ୍ଚଳରେ ଦେଖିବାକୁ ମିଳିଛି ହାତୀଙ୍କ ଉତ୍ପାତ। ଧାନ ଗଦା ସହିତ ଘରଦ୍ୱାର, ପନିପରିବା କରୁଛନ୍ତି ନଷ୍ଟ । ସଞ୍ଜ ନଇଁଲେ ଘରେ ଘରେ ପଡୁଛି ତାଟି କବାଟ । ଧାନ କଳେଇ ଗଦାରୁ ଧାନ ଖାଇ ନଷ୍ଟ କରୁଛନ୍ତି ୧୮ ଟିକିଆ ହାତୀପଲ । ଏବେ ବେଗୁନିଆ ବ୍ଲକ ଦେଉଳି, ଡାଳତୋଳା ଏବଂ ଗୋବିନ୍ଦପୁର ପଞ୍ଚାୟତରେ ଉତ୍ପାତ କରୁଛନ୍ତି । ରାତିସାରା ଗାଁ ଲୋକଙ୍କୁ ନିଆଁ ହୁଳା ସହିତ ଟର୍ଚ୍ଚ ଲାଇଟ ଧରି ଅନିଦ୍ରା ହେବାକୁ ପଡୁଛି । ହେଲେ ତଥାପି ହାତୀଙ୍କ ଉପଦ୍ରବରୁ ସୁରକ୍ଷିତ ରହିପାରୁନି ଫସଲ ।
ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପରିଛଳ ଗାଁ ହେଉଛି ଖୋର୍ଦ୍ଧା ଜିଲ୍ଲାର ତରକାରୀ ହାଣ୍ଡି ଭାବେ ପରିଚିତ। ହେଲେ ୫ ଦିନ ହେବ ଏହି ୧୮ ଟିକିଆ ହାତୀପଲ ଗାଁର ବହୁ ପନିପରିବା କ୍ଷେତ ଉଜାଡି ସାରିଲେଣି। ଯାହାକୁ ନେଇ ଚାଷୀମାନେ ହତାଶ ହେବା ସହିତ ଚାଷ ଛାଡିବାକୁ ବସିଲେଣି। ସେପଟେ ନିକଟସ୍ଥ ଡାଳତୋଳା କଣିପାରୀ ଗାଁର ଏକ ପରିବା କ୍ଷେତ ଚାରିପଟେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈ ହାତୀର ମୃତ୍ୟୁ ମଧ୍ୟ ହେଲାଣି । ତଥାପି ଚେତୁନି ଖୋର୍ଦ୍ଧା ବନ ବିଭାଗ । ଆଉ DFO ଖୋର୍ଦ୍ଧା କହୁଛନ୍ତି ସମୟ ଆସିଲେ ସେମାନେ ଆପେ ପଳାଇବେ।