ନାଗପୁର ମଡେଲ ଭଳି ଭୁବନେଶ୍ବରରେ ନିର୍ମାଣ ହେବ ଏଲିଭେଟେଡ କରିଡର, ଭିଡ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ

ନାଗପୁର ମଡେଲ ଭଳି ଭୁବନେଶ୍ବରରେ ନିର୍ମାଣ ହେବ ଏଲିଭେଟେଡ କରିଡର। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲିଭେଟେଡ କରିଡର ନିର୍ମାଣ ହେବ। ଏଥିପାଇଁ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ ହେବ। ଭୁବନେଶ୍ବର ସହରରେ ଦିନକୁଦିନ ବଢୁଥିବା ଟ୍ରାଫିକ ଭିଡ କମାଇବା ଲକ୍ଷ୍ୟରେ ଏଲିଭେଟେଡ କରିଡର କରାଯାଉଛି। ଏପ୍ରିଲମାସ ଶେଷସୁଦ୍ଧା ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ରାଜଧାନୀରୁ କମିବ ଟ୍ରାଫିକ ଭିଡ଼। ଭିଡ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ। ସ୍ମାର୍ଟ ସିଟିରୁ ଟ୍ରାଫିକ ଭିଡ କମାଇବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଭୁବନେଶ୍ବର ସହରର ସବୁଠୁ ଜନଗହଳି ରାସ୍ତା ହେଉଛି ଜୟଦେବ ବିହାରରୁ ନନ୍ଦନକାନନ। ଏହି ରାସ୍ତାରେ ଟ୍ରାଫିକ ଭିଡ କମ୍ କରିବା ପାଇଁ ରାଜ୍ୟ ସରକାର ନିର୍ମାଣ କରିବେ ଏଲିଭେଟେଡ କରିଡର।

ଏପ୍ରିଲ ଶେଷ ଆଡ଼କୁ ଏଲିଭେଟେଡ କରିଡ଼ର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ ହେବ। ଜୟଦେବ ବିହାର ଜାତୀୟ ରାଜପଥ ଫ୍ଲାଏ ଓଭର ସହ ସଂଯୋଗ ହୋଇ ନିର୍ମାଣ କରାଯିବ ଏଲିଭେଟେଡ କରିଡ଼ର। ଏହାକୁ ଡବଲ ଡେକର କରିଡ଼ର କରିବା ପାଇଁ ଯୋଜନା ରଖାଯାଇଛି।

ପ୍ରଥମ ଫ୍ଲୋର ରାସ୍ତାରେ ୪ ଲେନ୍ ରାସ୍ତା ରହିବ, ଦ୍ଵିତୀୟ ଫ୍ଲୋରରେ ମେଟ୍ରୋ ଟ୍ରେନ ଯିବା ପାଇଁ ଟ୍ରାକ ରହିବ। ତଳେ ୬ ଲେନ ରାସ୍ତା, ଏଲିଭେଟେଡ ରାସ୍ତାରେ ୪ ଲେନ ରାସ୍ତାକୁ ମିଶାଇ ୧୦ ଲେନ ରାସ୍ତା ନିର୍ମାଣ କରାଯିବ। ଏହାଦ୍ବାରା ଜମି ଅଧିଗ୍ରହଣ ଓ ଉଚ୍ଛେଦ ଭଳି ସମସ୍ୟା ଦେଖାଦେବ ନାହିଁ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।

ମେଟ୍ରୋ ଚଳାଚଳ ନେଇ ଉଚ୍ଚସ୍ତରୀୟ ଟିମ ଗଠନ କରାଯାଇଛି। ଯେଉଁଠି ମେଟ୍ରୋ ଅଛି, ଟିମ୍ ସେଠିକି ଯାଇ ଅନୁଧ୍ୟାନ କରୁଛନ୍ତି। ସେଠାକାର ମେଟ୍ରୋ ଓ ଏଠାକାର ମେଟ୍ରୋର ରୁଟକୁ ନେଇ ତର୍ଜମା ଚାଲିଛି। ରୁଟ ପରିବର୍ତନ ହେବ କି ନାହିଁ ଆଲୋଚନା ହେଉଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।

ସେହିପରି କଳ୍ପନାଛକ ଓ ମ୍ୟୁଜିୟମ ଛକରେ ଫ୍ଲାଇଓଭର ନିର୍ମାଣ କରାଯିବ। ଏଜି ଛକରେ ଭୂତଳ ରାସ୍ତା ନିର୍ମାଣ ହେବ। ଏହାସହ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ଼ ପାଇଁ ମଧ୍ୟ ଟେଣ୍ଡର ହୋଇଯାଇଛି । ଏହାର କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।