କାହାକୁ ୭୦ ପାର ତ କାହାକୁ ୮୦ ପାର, ଭତ୍ତା ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ହରଭଙ୍ଗା: ସରକାରଙ୍କ ମଧୁବାବୁ ପେନସନ ଯୋଜନା ତାଲିକାରେ ଏମାନଙ୍କ ନାଁ ନାହିଁ । ଯୋଜନାରେ ସାମିଲ ହେବା ପାଇଁ ଥରେ କି ଦୁଇ ଥର ନୁହଁ ବାରମ୍ବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯୋଗ ଦେଇ ଗୁହାରୀ ଜଣାଇଛନ୍ତି । ପଂଚାୟତ ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଲକର ବଡ ବଡ ବାବୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ୧୦ରୁ ଅଧିକ ଥର ସମସ୍ତ ପ୍ରମାଣପତ୍ର ଗୁଡିକ ଜେରକ୍ସ କରି ଦେଇଛନ୍ତି ।

ବିଧାୟକଙ୍କ ନିକଟରେ ଗୁହାରୀ କରିବା ପାଇଁ କେତେବେଳେ ବୌଦ୍ଧ ତ ଆଉ କେତେବେଳେ ପୁରୁଣା କଟକ ଏପରି କରିବାକୁ କହି କିଛି ବାବୁ ମାନେ ଦେଶୀ କୁକୁଡା ବି ଖାଲେଣି ତଥାପି ଏମିତି ହେଇ ହେଇ ଏମାନଙ୍କୁ ୮୦ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଭତ୍ତା ଯୋଜାନରେ ସାମିଲ ହୋଇ ପାରିନାହାନ୍ତି । ଆଗକୁ ହେବେ ନା ନାହିଁ ତାହା ବି ଅସ୍ପଷ୍ଟ । କେବଳ ରେବତୀ କି ସେବତୀ ନୁହଁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡେଣୀଗଡ ଗ୍ରାମପଂଚାୟତ ଅନ୍ତର୍ଗତ କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି ୪ ଖଣ୍ଡ ଗ୍ରାମର ୨୫ରୁ ଉର୍ଦ୍ଧ ହିତାଧିକାରୀ ସେମାନଙ୍କୁ ପରିଣତ ବୟସରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି ।

୬୦ ବର୍ଷରୁ ଉର୍ଦ୍ଧ, ବିଧବା,ବିକଳାଙ୍ଗ ବୃଦ୍ଧବୃଦ୍ଧାଙ୍କୁ ଚିହ୍ନଟ କରି ସରକାର ଭତ୍ତା ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ହେଲେ ଦୀର୍ଘ ବର୍ଷ ହେଲା ବହୁ ଯୋଗ୍ୟ ହିତାଧିକାରୀ ଭତା ଯୋଜନାରୁ ବଂଚିତ ହେଉଛନ୍ତି କିପରି ତାହା ବଡ଼ ପ୍ରଶ୍ନବାଚୀ । ଭତ୍ତା ଯୋଜନାରେ ସାମିଲ ହୋଇ ମଧ୍ୟ ମାସ ମାସ ଧରି ଭତ୍ତା ଟଙ୍କା ପାଇପାରୁନାହାନ୍ତି । ଭତ୍ତା ଟଙ୍କା ବାଟମାରଣା ହେବ ନାହିଁ ଏଥିପାଇଁ ସରକାର ସିଧାସଳଖ ହିତାଧିକାରୀଙ୍କ ଜମାଖାତାକୁ ଭତା ଟଙ୍କା ପଠାଇ ଦେଉଛନ୍ତି ବୋଲି କହୁଛନ୍ତି ସରକାର । ହେଲେ ଆଗରୁ ସବୁ ଠିକଠାକ ପାଉଥିବା ହିତାଧିକାରୀ ମାନେ ଆଜକୁ ୨ ରୁ ୩ ମାସ ହେବ… ନା ଜମାଖାତାକୁ ଆସୁଛି ଭତ୍ତା ଟଙ୍କା ନା ହାତାହାତି ମିଳୁଛି ଟଙ୍କା ।

ଏନେଇ ଅଭିଯୋଗ କଲେ ଭତ୍ତା ଟଙ୍କା ସରକାର ଛାଡି ନାହାନ୍ତି ବୋଲି ବ୍ଲକ ସ୍ତରୀୟ ଅଧିକାରୀ ମାନେ ହିତାଧିକାରୀ ମାନଙ୍କୁ ଦେଉଛନ୍ତି ଉତ୍ତର । ଭତ୍ତା କାହାକୁ ମିଳିବ, କେଉଁ ହିତାଧିକାରୀ ବଂଚିତ ଅଛନ୍ତି, ହିତାଧିକାରୀ ମାନେ ସଠିକ ଭାବେ ପାଉଛନ୍ତି ନା ନାହିଁ ଏସବୁ ତଦାରଖ ସଠିକ ଭାବରେ ହେନଥିବା କାରଣରୁ ଏଭଳି ସମସ୍ୟା ଦେଖାଦେଇଥିବାବେଳେ ଭତ୍ତା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉଛି ଏବଂ ଯିଏ ବଂଚିତ ଅଛନ୍ତି ଆମେ ତାଙ୍କୁ ଭତ୍ତା ଯୋଗାଇଦେବାରେ ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ବିଡିଓ ।

You might also like