ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡେ ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ

ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡେ ନାହିଁ । କେଉଁ ଉପାନ୍ତ ଅଞ୍ଚଳ ନୁହେଁ ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଗାଁରୁ ଏଭଳି ଖବର ଆସିଛି । ବାରମ୍ବାର ଆବାସ ଯୋଜନା ପାଇବା ପାଇଁ ଆବେଦନ କରି ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଇଏ ହେଉଛନ୍ତି ପୁରୀ ସଦର ବ୍ଲକ କାଶୀ ହରିପୁର ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗାଁର ବୟସ୍କ କେଶବ ମହାପାତ୍ର ଓ ତାଙ୍କ ସ୍ତ୍ରୀ ଦେବକୀ ମହାପାତ୍ର ।ଏବେ ବି ନଇଁ ଯାଇଥିବା ଚାଳ ଘରେ ଚଳୁଛନ୍ତି ଏହି ବୃଢ଼ ଦମ୍ପରି।ବାରମ୍ବାର ଆବାସ ଯୋଜନା ପାଇବା ପାଇଁ ଆବେଦନ କରିଛନ୍ତି। କିନ୍ତୁ ଏ ଯାବତ୍ ସେମାନଙ୍କୁ ଆବାସ ଘର ଯୋଗା ଯାଇନାହିଁ।କେବଳ ଏହି ଦମ୍ପତି ନୁହେଁ ସଦର ବ୍ଲକ କାଶୀହରିପୁର ପଞ୍ଚାୟତ ଅନ୍ତର୍ଗତ ଜେନା ସାହି ,ମଙ୍ଗରାଜପୂର୍ ,କୃପାସାଗର ପାଟଣା ଗାଁରେ ଅନେକ ଗରିବ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ।
ଯୋଗ୍ୟ ପରିବାର ସଂଖ୍ୟା ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ଗୃହ ଆବଶ୍ୟକତା ପୂରଣ କରିବା ପାଇଁ ୩ କୋଟି ଅତିରିକ୍ତ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବାକୁ ନିକଟରେ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ନିଜର ଘର କିଣିବା ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ। ପ୍ରାୟତଃ ଲୋକମାନଙ୍କୁ ନିଜର ଘର କିଣିବା ପାଇଁ ବହୁତ ସମୟ ଲାଗେ। ଅନ୍ୟପକ୍ଷରେ ଦେଶରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ନିଜର ଘର ତିଆରି କରିପାରୁ ନାହାନ୍ତି । ଏପରି ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ, ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରିଚାଳିତ ହେଉଛି ।
ବର୍ତ୍ତମାନ ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି ଏବଂ ଏକ ମୋବାଇଲ ଆପ ପ୍ରଚଳନ କରାଯାଇଛି । ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କେବଳ ଅଫଲାଇନ୍ ମାଧ୍ୟମରେ କରାଯାଉଥିଲା । କିନ୍ତୁ ଏବେ ନୂତନ ମୋବାଇଲ ଆପ୍ ଲଞ୍ଚ ହେବା ପରେ ଲୋକମାନେ ଏହି ଯୋଜନା ପାଇଁ ଅନଲାଇନ୍ରେ ମଧ୍ୟ ଆବେଦନ କରିପାରିବେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ମୋବାଇଲ ଆପ୍ରେ ନାମ ’ଆବାସ ପ୍ଲସ ୨୦୨୪’। ଏହି ଆପ୍ ବ୍ୟବହାର କରି ହିତାଧିକାରୀ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଇଁ ସହଜରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ ଓ ବିଡ଼ିଓ କହିଛନ୍ତି।
ଆବାସ ପ୍ଲସ ୨୦୨୪’ ଆପ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଏବଂ ଏହି ଆପ କେବଳ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରି ଆବେଦନ ପ୍ରକ୍ରିୟା, ଯୋଜନାର ନିୟମ ଏବଂ ହିତାଧିକାରୀଙ୍କ ତାଲିକା ମଧ୍ୟ ଦେଖିହେବ । ଆବେଦନ ସହିତ ଜଡିତ ଆବଶ୍ୟକୀୟ ସୂଚନା ଏବଂ ଡକ୍ୟୁମେଣ୍ଟଗୁଡ଼ିକ ଆପ୍ରେ ଦାଖଲ କରିବାକୁ ପଡିବ। ଏହା ପରେ ଏହି ସୂଚନା ଅଧିକାରୀମାନଙ୍କ ଦ୍ୱାରା ଯାଞ୍ଚ କରାଯିବ । ସୂଚନା ଯାଞ୍ଚ ପରେ ଯଦି ଜଣେ ଯୋଗ୍ୟ ତେବେ ସରକାର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଦେବେ ।
Also read:ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ, ସୂଚନା ଦେଲେ ବୋର୍ଡ ସଭାପତି