ଗୁରୁ ପଦ୍ମସମ୍ଭବ ସମାରୋହରେ ଯୋଗଦେଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ

ଯାଜପୁର : ଯାଜପୁର ଉଦୟଗିରିର ଗୁରୁ ପଦ୍ମସମ୍ଭବ ସମାରୋହରେ ଯୋଗଦେଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ । ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ତଥା ହୀରକ ତ୍ରିଭୁଜ କୁହାଯାଉଥିବା ଲଳିତଗିରି, ଉଦୟଗିରି ଓ ରତ୍ନଗିରି ପୀଠ ଏବେ ଚଳଚଞ୍ଚଳ ।

କେନ୍ଦ୍ରସ୍ଥଳ ଯାଜପୁର ଜିଲ୍ଲା ଉଦୟଗିରିରେ ଚାଲିଛି ଅନ୍ତର୍ଜାତୀୟ ପ୍ରଥମ ଗୁରୁ ପଦ୍ମସମ୍ଭବ ବୌଦ୍ଧ ପ୍ରାର୍ଥନା ସମାରୋହ ।  ଦ୍ଵିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭବଙ୍କ ପବିତ୍ର ଦେହାବଶେଷ ଉଦୟଗିରିରେ ରହିଥିବା ପ୍ରମାଣ ମିଳିବା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ । ଏଥିରେ ୧୭ଟି ରାଷ୍ଟ୍ରରୁ ପାଖାପାଖି ୧୫ଶହ ବୌଦ୍ଧ ସନ୍ୟାସୀ ଓ ବୌଦ୍ଧ ଗୁରୁ ସାମିଲ ହୋଇଛନ୍ତି।

ଆଜି ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରିରେ ଚାଲିଥିବା ସମାରୋହର ପଞ୍ଚମ ତଥା ଶେଷ ଦିନରେ ହିମାଂଶୁ ଖଟୁଆ ଯୋଗଦେଇଥିଲେ । ପ୍ରଥମେ ସେ ଉଦୟଗିରି ସ୍ଥିତ ଡ଼ାକବଙ୍ଗଳାରେ ପହଂଚିଥିଲେ। ସେଠାରେ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତିର ଅଧ୍ୟକ୍ଷା ତଥା ଶୋଭାନୀୟ ଶିକ୍ଷାଶ୍ରମର ନିର୍ଦ୍ଦେଶିକା ଡ଼. ଅରୁନ୍ଧତୀ ଦେବୀ, ବୌଦ୍ଧ ସଂଗଠକ ପ୍ରକାଶ ନାୟକ ପ୍ରମୁଖ ସ୍ୱାଗତ କରିଥିଲେ।

ଆୟୋଜକ ଲାଇଟ ଅଫ ବୁଦ୍ଧ ଫାଉଣ୍ଡେସନ ଇଣ୍ଟରନାସନାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ୱାଙ୍ଗମୋ ଡିକ୍ସିଙ୍କ ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଶୋଭାନୀୟ ଶିକ୍ଷାଶ୍ରମ ଯାଇ ପୂଜ୍ୟଶ୍ରୀ କୁମାର ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଉଦୟଗିରି ଠାରେ ଅନୁଷ୍ଠିତ ପ୍ରାର୍ଥନା ସମାରୋହରେ ସାମିଲ ହୋଇଥିଲେ। ଶ୍ରୀ ଖଟୁଆଙ୍କ ସହ ନେସନାଲ ଆର୍ଟ ଅଫ ଗ୍ୟାଲେରୀର ପୂର୍ବତନ ଡ଼ାଇରେକ୍ଟର ଜେନେରାଲ ଅଦୈତ ଗଡ଼ନାୟକ ଯୋଗଦେଇଥିଲେ।ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ଜଗତର କଲ୍ୟାଣ ପାଇଁ ବୌଦ୍ଧ ସନ୍ୟାସୀ ମାନେ ଏଠାରେ ସମୂହ ପ୍ରାର୍ଥନା କରିବା କାର୍ଯ୍ୟକ୍ରମକୁ ଶ୍ରୀ ଖଟୁଆ ଭୁୟସୀ ପ୍ରଶଂସା କରିଥିଲେ।

You might also like