ନିଯୁକ୍ତି ନାଁରେ ଠକେଇ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
କଟକ : ନିଯୁକ୍ତି ନାଁରେ ଠକେଇ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ମଙ୍ଗଳାବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଭାଇ ବୋଲି ଜଣାପଡିଛି । ଅର୍ଜିତ ମହାନ୍ତି ଓ ଅର୍ପିତ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦୁଇ ଜଣଙ୍କ ବିରୋଧରେ ମୋଟ ଚାଳିଶ ଜଣ ଚାକିରୀ ଆଶାୟୀ ଲିଖିତ ଅଭିଯୋଗ କରିଥିଲେ ।
ସରକାରୀ ଚାକିରୀ ଦେବାକୁ କହି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଯାଇଥିଲେ ଅଭିଯୁକ୍ତ। ବିଭିନ୍ନ ଜିଲ୍ଲାର ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ମେଡ଼ିକାଲ କଲେଜ୍ ଆଦିରେ ଏ ଏନ୍ ଏମ, ଜି ଏନ୍ ଏମ, ଡାଟା ଏଣ୍ଟ୍ରି ସୁପରଭାଇଯର, ଆଟେଣ୍ଡାଣ୍ଟ ଆଦି ପଦବୀରେ ନିଯୁକ୍ତି ଦେବାକୁ କହି ଠକି ନେଇଥିଲେ ଟଙ୍କା । ଜାଲ ନିଯୁକ୍ତି ପତ୍ର ଆଶାୟୀମାନଙ୍କୁ ଦିଆଯାଉଥିଲା ।
ପ୍ରତି ଆଶାୟୀଙ୍କ ଠାରୁ ୨୦ ରୁ ୩୦ ହଜାର ଟଙ୍କା ନେଉଥିଲେ ଅଭିଯୁକ୍ତ । ଅଭିଯୁକ୍ତମାନଙ୍କ ଠାରୁ ଏକ ଦାମୀ କାର, ଏକ ସ୍କୁଟି, ଦୁଇଟି ଫୋନ, ନଗଦ ୧୦ ହଜାର ଟଙ୍କା, ଏଟିଏମ କାର୍ଡ,ପ୍ୟାନ କାର୍ଡ, କିଛି ବାୟୋଡାଟା, ଜାଲ ନିଯୁକ୍ତି ପତ୍ର, ଜାଲ ସିଲ୍ ଜବତ୍ କରିଛି ପୋଲିସ।